fbpx

‘ମତେ ବିଷ ଦେଇ ବାପା ବୋଉ ବିଷ ପିଇଦେଇଛନ୍ତି… ଆମକୁ ବଞ୍ଚାଅ…’ ମାମୁ ଘରକୁ ଫୋନ କରି ଏମିତି କହିଲା ୯ ବର୍ଷର କୁନି ଝିଅ

ବାଲେଶ୍ୱର: ‘ମୋତେ ବିଷ ଦେଇ ବାପା ବୋଉ ବିଷ ପିଇଦେଇଛନ୍ତି… ଆମକୁ ବଞ୍ଚାଅ…’ ଫୋନରେ ନିଜ ମାମୁ ଘର ଲୋକଙ୍କ କିଛି ଏମିତି କହିଥିଲା ୯ ବର୍ଷର କୁନି ଝିଅ । ଆଉ ପାଖ ପଡିଶାରେ ପଡିଗଲା ଚହଳ । ଖବର ପାଇ ତୁରନ୍ତ ବାପା-ମାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ବାଲିଆରେ ।  ଋଣ ବୋଝ ସହିନପାରି  ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଛନ୍ତି ଦମ୍ପତ୍ତି । ନିଜେ ବିଷ ପିଇବା ସହ ୯ ବର୍ଷର ଝିଅକୁ ବି ବିଷ ପିଆଇଛନ୍ତି ବାପା ମା’ ।

ସୂଚନା ଅନୁଯାୟୀ ବାଲିଆ ଅଞ୍ଚଳର ଲକ୍ଷ୍ମୀଧର ପେଶାରେ ଜଣେ ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି । ଗତ ବର୍ଷ ବ୍ୟବସାୟ କରିବାକୁ ମହିଳା ସଂଘ ଏବଂ କିଛି ଗ୍ରାମବାସୀଙ୍କଠାରୁ ଟଙ୍କା ଉଧାର ଆଣିଥିଲେ । କେବଳ ସେତିକି ନୁହେଁ ନିଜ ପତ୍ନୀଙ୍କର ସମସ୍ତ ଗହଣା ମଧ୍ୟ ବିକ୍ରି କରିଦେଇଥିଲେ । ତେବେ ବଇରୀ ସାଜିଲା କରୋନା ମହାମାରୀ । ଲକଡାଉନ୍ ସଟଡାଉନ କଟକଣା ଯୋଗୁଁ ବନ୍ଦ ହୋଇଗଲା ଲକ୍ଷ୍ମୀଧରଙ୍କ ବ୍ୟବସାୟ ।

ସେପଟେ ସୁଧକୁ ଆଣିଥିବା ଟଙ୍କାର ସୁଧ ମଧ୍ୟ ବଢି ବଢି ଚାଲିଲା । ଲୋକେ ଋଣ ସୁଝିବାକୁ ବାରମ୍ବାର ତାଗିଦ୍‌ କରିବା ସହିତ ଗାଳି ଗୁଲଜ କରିଥିଲେ । ଆଉ ଋଣ ବୋଝ ସହିନପାରି ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଲେ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ ମଞ୍ଜୁଲତା । ତାଙ୍କର ୮ ବର୍ଷର ଝିଅକୁ ମଧ୍ୟ ବିଷ ପିଆଇ ଦେଇଥିଲେ । ହେଲେ ଝିଅ ବିଷ ବୋଲି ଜାଣିପାରି ମାମୁଁ ଘରକୁ ଫୋନ୍‌କରି ଜଣାଇ ଦେଇଥିଲା । ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଲକ୍ଷ୍ମୀଧରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.