fbpx

ବିଶ୍ୱସ୍ତରୀୟ ହେବ ପୁରୀ ରେଳଷ୍ଟେସନ୍: ମଞ୍ଜୁର ହେଲା ୮୨ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ମିଳିବାର ଗୋଟିଏ ଦିନ ପରେ ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଘୋଷଣା କରାଯାଇଛି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରଏଲଡିଏ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ପାଇଁ ୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

୨୮୫୭୪ ବର୍ଗ ମିଟର ଅଞ୍ଚଳରେ ବ୍ୟାପ୍ତ ଏହି ଷ୍ଟେସନର ଚତୁଃପାଶ୍ୱର୍ରେ ରହିଥିବା ସ୍ଥାନ ଏବଂ ଷ୍ଟେସନର ଉନ୍ନତିକରଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଆସନ୍ତା ଜୁଲାଇ ୧୫ ତାରିଖରେ ନିଲାମୀ ପୂର୍ବର ବୈଠକ ହେବାକୁ ଥିବା ବେଳେ ୧୭ ଅଗଷ୍ଟରେ ନିଲାମୀ ପାଇଁ ଆବେଦନ ଗ୍ରହଣ କରାଯିବ । ପୁରୀ ଏକ ଐତିହାସିକ ସହର ହୋଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଏହା ପ୍ରସିଦ୍ଧି ହାସଲ କରିଛି । ଏହି ଉନ୍ନତିକରଣ କାର୍ଯ୍ୟ ଦ୍ୱାରା ପୁରୀର ସାମଗ୍ରିକ ବିକାଶ ସହିତ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ଆରଏଲଡିଏ ଭାଇସ ଚେୟାରମ୍ୟାନ ବେଦ ପ୍ରକାଶ ଡୁଡେଜା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବତଟ ରେଳବାଇର ଅନ୍ୟତମ ବୃହତ ଷ୍ଟେସନ ପୁରୀରେ ୮ଟିପ୍ଲାଟଫର୍ମ ରହିଛି । ଦୈନିକ ୫୨ଟି ଟ୍ରେନ୍ ସହିତ ଏକାସାଙ୍ଗରେ ୧୬୬୮୦ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିଥାଏ ।

Get real time updates directly on you device, subscribe now.