fbpx

ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ, ଇଞ୍ଜିନିୟରଙ୍କୁ ଏପରି କହିଲେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବଗଠିତ କ୍ୟାବିନେଟରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅଶ୍ୱିନୀଙ୍କୁ ନେଇ ଦିଲ୍ଲୀ ଦରବାରରେ ବହୁତ ଚର୍ଚ୍ଚା ହୋଇଥିଲା । କର୍ମଚାରୀମାନେ ମାନେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କ ନଜରକୁ ଆସିଥିଲେ । ତେବେ ବର୍ତ୍ତମାନ ସମୟରେ ନୂଆ ରେଳମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ରେଳ ସିଗନାଲ୍ ବିଭାଗର ଜଣେ ଇଞ୍ଜିନିୟରଙ୍କୁ ଅଶ୍ୱିନୀ କହିଥିଲେ ଯେ, ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ । ତେବେ ଏହି ଭିଡିଓଟି ଚାରିଆଡ଼େ ଖୁବ୍ ଜୋରରେ ଭାଇରାଲ୍ ହେବା ସହ ମନ୍ତ୍ରୀଙ୍କର ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି ।

ଜଣାପଡ଼ିଛି ଯେ, ରେଳ ବିଭାଗର ଜଣେ ଇଞ୍ଜିନିୟର ଓ ଅଶ୍ୱିନୀ ଗୋଟିଏ କଲେଜରେ ପାଠ ପଢ଼ୁଥିଲେ । ତେଣୁ ରେଳମନ୍ତ୍ରୀ ତାଙ୍କର ପୁରୁଣା ବନ୍ଧୁଙ୍କୁ ଆଲିଙ୍ଗନ କରିଥିଲେ । ରେଳ ବିଭାଗର ସିଫ୍ଟ ଟାଇମିଂ ପରିବର୍ତ୍ତନ ହେବା ପରେ ଅଶ୍ୱିନୀ ଜଣେ ଇଞ୍ଜିନିୟରିଂଙ୍କୁ ସାକ୍ଷାତ କରିଥିଲେ । ଅଶ୍ୱିନୀ କହିଥିଲେ- ‘ଆମ କଲେଜରେ ଜୁନିୟରମାନେ ସିନିୟରମାନଙ୍କୁ ସାର ନୁହେଁ, ବସ୍ ଡାକନ୍ତି । ତେଣୁ ଆପଣ ମୋତେ ବସ୍ ଡାକିବେ ।’ ରେଳମନ୍ତ୍ରୀ ଅତ୍ୟନ୍ତ ହାଲୁକା ଭାବେ ନିଜର ଇଞ୍ଜିନିୟର ବନ୍ଧୁଙ୍କୁ ଆଲିଙ୍ଗନ କରିବା ସହ ସୌହାଦ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ । ମନ୍ତ୍ରୀଙ୍କର ଏହି ମଜାଳିଆ ଅନ୍ଦାଜକୁ ସେଠାରେ ଉପସ୍ଥିତ କର୍ମଚାରୀମାନେ ବେଶ୍ ଉପଭୋଗ କରିଥିଲେ । ପୂର୍ବତନ ଆଇଏଏସ୍ ଅଶ୍ୱିନୀ ରାଜସ୍ଥାନର ଯୋଧପୁରର ମୁଗନୀରାମ ବାଙ୍ଗୁର ମେମୋରିଆଲ ଇଞ୍ଜିନିୟରିଂ କଲେଜରୁ ଶିକ୍ଷା ସମାପ୍ତ କରିଥିଲେ । ତେବେ ଅଫିସକୁ ନିଜ ଘର ଭାବି କାମ କରିବା ସହ ମଜା ଉଠାଇବା ଦରକାର ବୋଲି ଅଶ୍ୱିନୀ ଷ୍ଟାଫଙ୍କୁ କହିଥିଲେ । ୫୧ ବର୍ଷୀୟ ଅଶ୍ୱିନୀ ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡରର ପ୍ରଶାସନିକ ଅଧିକାରୀ ଅଟନ୍ତି । ନିଜର କାର୍ଯ୍ୟଭାର ଗ୍ରହଣ କରୁ କରୁ ଅଶ୍ୱିନୀ ଅଫିସ୍ ଟାଇମିଂ ପରିବର୍ତ୍ତନ କରିଥିଲେ । ପ୍ରଥମ ସିଫ୍ଟ ସକାଳ ୭ରୁ ଅପରାହ୍ଣ ୪ଟା ଓ ଦ୍ୱିତୀୟ ସିଫ୍ଟ ଦ୍ୱିପ୍ରହର ୩ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।

Get real time updates directly on you device, subscribe now.