fbpx

ଲାଉଡ୍ ସ୍ପିକର ବଜାଇଲେ ଗଣିବେ ୧ ଲକ୍ଷ ଫାଇନ୍, ଲାଗୁହେଲା ନିୟମ

ନୂଆଦିଲ୍ଲୀ: ଏଣିକି ବିନା ଅନୁମତିରେ ଲାଉଡ୍ ସ୍ପିକର ବଜାଇଲେ ୧ ଲକ୍ଷ ଫାଇନ୍ ଗଣିବେ । ଏହାସହ ଧ୍ୱନି ପ୍ରଦୂଷଣ କଲେ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏଁ ଫାଇନ୍ ଦେବାକୁ ପଡ଼ିବ । ଖୁବଶୀଘ୍ର ଏହି ନିୟମ ଲାଗୁ କରିବାକୁ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି (ଡିପିସିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ନିୟମ ଅନୁଯାୟୀ, ଯଦି କୌଣସି ନିର୍ମାଣାଧୀନ କାର୍ଯ୍ୟସ୍ଥଳରେ ବ୍ୟବହୃତ ହେଉଥିବା ମେସିନ ଅଧିକ ଶବ୍ଦ ସୃଷ୍ଟି କରେ, ତେବେ ୫୦ ହଜାର ଜରିମାନା ଆଦାୟ କରାଯିବ । ଏହାସହ ବ୍ୟବହୃତ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରାଯିବ । ଭିଆଇପି ସ୍ଥାନରେ ବାଣ ଫୁଟାଇଲେ ୧ ହଜାର ଓ ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ୩ ହଜାର ଗଣିବେ । ଏହାଛଡ଼ା ସାଧାରଣ ଶୋଭାଯାତ୍ରା, ଧାର୍ମିକ ସ୍ଥଳ ଓ ବରଯାତ୍ରୀ ରାଲିରେ ବାଣ ଫୁଟାଇଲେ ୧୦ ହଜାର ଜରିମାନା ଆଦାୟ କରାଯିବ ବୋଲି ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ନିୟମ ଲାଗୁ କରାଯାଇଛି । ଯଦି ଜଣେ ଦ୍ୱିତୀୟ ଥର ପାଇଁ ନିୟମ ଅବମାନନା କରେ, ତେବେ ସେ କ୍ଷେତ୍ରରେ ୪୦ ହଜାର ଟଙ୍କା ଆଦାୟ କରାଯିବ । ସେହିପରି ତୃତୀୟ ଥର ନିୟମ ଭାଙ୍ଗିଲେ ଏକ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ଡିପିସିସିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୨୦୨୦ ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)କୁ ଏହି ନୂଆ ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ନିୟମ ବର୍ତ୍ତମାନ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଦ୍ୱାରା ମଞ୍ଜୁରୀ ଲାଭ କରିଛି । ଡିପିସିସି ପକ୍ଷରୁ ସିପିସିବିକୁ ଏହି ନିୟମ ପ୍ରଣୟନ ପାଇଁ ଏକ ଆକ୍ସନ ରିପୋର୍ଟ ମଗାଯାଇଛି । ଧ୍ୱନି ପ୍ରଦୂଷଣ ଦ୍ୱାରା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ଦେଇ ଧ୍ୱନି ପ୍ରଦୂଷଣ ହ୍ରାସ ଉଦ୍ଦେଶ୍ୟରେ ଏହି ନିୟମ ପ୍ରଣୟନ କରାଯାଇଥିବା ସିପିସିବି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.