fbpx

କାନ୍ସ ସମାରୋହରେ ଭାରତୀୟ ମହିଳାଙ୍କୁ ନେଇ ଚର୍ଚ୍ଚା, ମାତୃତ୍ୱ ଉପରେ ଦେଲେ ନୂଆ ସନ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ମଡେଲ୍ ଦୀପା ଖୋସଲାଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । କାନ୍ସ ସମାରୋହରେ ହଳଦିଆ ରଙ୍ଗର ଆକର୍ଷଣୀୟ ଡ୍ରେସ୍ ପିନ୍ଧିବା ସାଙ୍ଗକୁ ବ୍ରେଷ୍ଟ ପମ୍ପକୁ ନେଇ ଦୀପା ବର୍ତ୍ତମାନ ଟ୍ରେଣ୍ଡରେ ରହିଛନ୍ତି । ତେବେ ମାତୃତ୍ୱକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଦୀପା ଏହି ଖାସ୍ ଷ୍ଟାଇଲ ଆପଣାଇଥିବା ଜଣାପଡ଼ିଛି । ସେ ବ୍ରେଷ୍ଟ ପମ୍ପ ଆସେସିରିଜ୍ ସହିତ ସୋସିଆଲ ମିଡିଆରେ ନିଜର ସନ୍ଦେଶ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ଗତ ଏପ୍ରିଲ ମାସରେ ଦୀପା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ସନ୍ତାନକୁ ଜନ୍ମ ଦେବା ଅପେକ୍ଷା ମାତୃତ୍ୱର ଅଧିକାରିଣୀ ହେବା ବହୁଗୁଣରେ ଭଲ ବୋଲି ସେ ଲେଖିଛନ୍ତି । ଈଶ୍ୱରଙ୍କର ଗୋଟିଏ ସୃଷ୍ଟିକୁ ଜାଣିବା ଓ ଦେଖିବା ବିନା ଭଲପାଇବାର ଅର୍ଥ ହେଉଛି ମାତୃତ୍ୱ । ସନ୍ତାନ ଜନ୍ମ ପରେ ସାରା ଜୀବନ ମାଆ ଉପରେ ନିର୍ଭର କରେ ଓ ମାଆ ସନ୍ତାନକୁ ଉପଯୁକ୍ତ ମାର୍ଗଦର୍ଶନ କରାଇଥାଏ । ସନ୍ତାନକୁ ଠିକଭାବେ ଲାଳନପାଳନ କରିବା ସହ କର୍ତ୍ତବ୍ୟ ପାଳନ କରିବା ହେଉଛି ମାଆର ପ୍ରକୃତ ତ୍ୟାଗ ।

ତେବେ ଦୀପା ଡ୍ରେସ ସହ ବ୍ରେଷ୍ଟ ପମ୍ପ ପରିଧାନ କରି ମାତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ଉଚିତ ସନ୍ଦେଶ ଦେଇଛନ୍ତି । ଦୀପା କହିଛନ୍ତି ଯେ, ମାତୃତ୍ୱର କୌଣସି ନିୟମ ନାହିଁ । କ’ଣ ଭଲ ଆଉ କ’ଣ ଖରାପ ଏହା କେବଳ ଶିଖିବା ଓ ଅନୁଭବରୁ ହିଁ ପ୍ରାପ୍ତ ହୋଇଥାଏ । ଏ ସମାଜରେ ଏପରି କିଛି ଲୋକ ରହିଛନ୍ତି ଯେଉଁମାନେ ମାତୃତ୍ୱ ଉପରେ ପ୍ରଶ୍ନ କରିଛନ୍ତି । ଦୀପା ବ୍ରେଷ୍ଟ ପମ୍ପର ବ୍ୟବହାର କରି ଏପରି ଲୋକଙ୍କୁ ଶିକ୍ଷା ଦେଇଛନ୍ତି । ଏହି ସମସ୍ୟା ଅଧିକାଂଶ ମହିଳା ସୋସିଆଲ ମିଡିଆରେ ସାମନା କରୁଥିବା ଦେଖାଯାଉଛି ବୋଲି ସେ କହିଛନ୍ତି । କିଛି ମହିଳା ନିଜର ସନ୍ତାନଙ୍କୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ମାତ୍ର କାର୍ଯ୍ୟବ୍ୟସ୍ତତା ହେତୁ ଘରୁ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି । ଏପରି ମହିଳାଙ୍କ ପାଇଁ ବ୍ରେଷ୍ଟ ପମ୍ପ ଏକ ବରଦାନ ସଦୃଶ ଅଟେ । ଏଥିପାଇଁ ମହିଳାମାନେ ନିଜର ସନ୍ତାନ ପାଇଁ କ୍ଷୀର ଷ୍ଟୋର କରି ରଖିପାରିବେ । ଫଳରେ ସନ୍ତାନଟି ଆରାମରେ କ୍ଷୀରପାନ କରିପାରିବ । ମାତ୍ର ବ୍ରେଷ୍ଟ ପମ୍ପର ବିଭିନ୍ନ ବେନିଫିଟ ରହିଥିଲେ ମଧ୍ୟ ଏହାକୁ ଅଧିକାଂଶ ମହିଳା ବ୍ୟବହାର କରୁନାହାନ୍ତି । ବୋତଲ କ୍ଷୀର ସେବନ କରିବା ଦ୍ୱାରା ସନ୍ତାନକୁ ଉପଯୁକ୍ତ ମାତ୍ରାରେ ଶକ୍ତି ପ୍ରାପ୍ତ ହୋଇ ନଥାଏ । ତେଣୁ ଦୀପା ମାତୃତ୍ୱ ଓ ବ୍ରେଷ୍ଟ ପମ୍ପର ଉପଯୋଗିତା ଉପରେ ଆଲୋକପାତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.