ଜମିଜମା ବିବାଦକୁ କେନ୍ଦ୍ର କରି ପରିବାରର ତିନି ଜଣଙ୍କୁ ହତ୍ୟା କଲେ ଯୁବକ

ନୂଆଦିଲ୍ଲୀ: କଳିଯୁଗରେ ଜଣେ ସନ୍ତାନଙ୍କର ଜଘନ୍ୟ କାରନାମା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ତିନିଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ଖବର ମିଳିଛି । ତେବେ ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ତେବେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପରିବାରର ସଂପର୍କୀୟଙ୍କୁ ହତ୍ୟା କରିବା ପଛରେ କିଛି ବିଶେଷ କାରଣ ରହିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ଏହି କାଣ୍ଡ ଭିଆଇ ଫେରାର ରହିଥିବା ଜଣାପଡ଼ିଛି ।

ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ମଣ୍ଡି ଥାନା ଅନ୍ତର୍ଗତ କୋଡିଆ ଛିତୁ ଗ୍ରାମରେ । ଜଣାପଡ଼ିଛି ଯେ, ବୈଶାଳୀ ନଗରରେ ରହୁଥିବା ଅନୋଖି ଲାଲ ମାଲବୀୟ ତିନି ଜଣଙ୍କୁ ବିବାହ କରିଥିଲେ । ଅନୋଖି ପ୍ରଥମ ବିବାହ ଦରଗୁବାଇଙ୍କୁ କରିଥିଲେ ହେଁ କିଛି ଦିନ ପରେ ସେ ଘର ଛାଡ଼ି କୁଆଡ଼େ ଚାଲିଯାଇଥିଲେ । ଏହାପରେ ସେ ଗୋକଲବାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ, ଯାହାଙ୍କ ଗର୍ଭରୁ ନରେନ୍ଦ୍ର ଜନ୍ମ ନେଇଥିଲା । ଗୋକଲବାଇଙ୍କ ମୃତ୍ୟୁ ପରେ ଅନୋଖି ଚିନ୍ତାବାଇଙ୍କୁ ତୃତୀୟ ବିବାହ କରିଥିଲେ, ଯାହାଙ୍କର ପୁନମ ଓ ପୂଜା ଓ କପିଲ ନାମକ ତିନି ସନ୍ତାନ ହୋଇଥିଲେ । ପରିବାରରେ ଜମିଜମାକୁ ନେଇ ବିବାଦ ରହିଥିବାରୁ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ନରେନ୍ଦ୍ର ଅସନ୍ତୁଷ୍ଟ ରହିଥିଲେ । ଫଳରେ ନିଜର ସାବତ ମାଆ ଚିନ୍ତାବାଇ, ମାଉସୀ ଅଯୋଧ୍ୟାବାଇ, ସାବତ ଭଉଣୀ ପୁନମଙ୍କୁ ହତ୍ୟା କରି ଫେରାର ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଏସପି ଫେରାର ଅଭିଯୁକ୍ତ ନାମରେ ୧୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ ୩ଟି ଅଲଗା ଅଲଗା ଟିମ୍ ଗଠନ କରାଯାଇ ହତ୍ୟାକାରୀକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।