fbpx

କୋଦଳା ମେଡିକାଲରେ ‘ହାତଗୁଞ୍ଜା ଦିଅ ଡିଉଟି ନକରି ଦରମା ନିଅ’ ଫର୍ମୁଲା!

କୋଦଳା(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ । ହାତଗୁଞ୍ଜା ଦେଇ ଡିଉଟି ନ କରି ଦରମା ନିଅ କାରବାର ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ତଳଦିନେ ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଖବର ପ୍ରସାରଣ ହୋଇଥିଲା । ଯାହାକି ରାହାଡ଼ା ସେକ୍ଟର ଏଏନଏମଙ୍କ ବଦଳରେ ତାଙ୍କ ସ୍ୱାମୀ ସେଠାରେ ଡିଉଟି କରୁଥିବା ଜଣାପଡ଼ିଥିଲା । ତେବେ ରାତି ଅଧିଆ ତାଙ୍କୁ ରାୟଗଡ଼ାକୁ ବଦଳି କରିଦିଆଗଲା ।

ସେହିପରି ଅଭିଯୋଗ ଅନୁସାରେ କୋଦଳା ମେଡିକାଲରେ ଏସଆଇଏସ ସିକ୍ୟୁରିଟି ସଂସ୍ଥା ୭ ଜଣଙ୍କୁ ନିୟୋଜିତ କରିଥିବାବେଳେ ୨ କିମ୍ବା ୩ ଜଣ ହିଁ ଡିଉଟି କରୁଛନ୍ତି । ଅନ୍ୟମାନେ ହାତଗୁଞ୍ଜା ଦେଇ ଡିଉଟି ନକରି ଦରମା ପାଉଛନ୍ତି । ଖାଲି ଏତିକି ନୁହେଁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡିକାଲର ଏକ ଗାଡ଼ି ଡ୍ରାଇଭର ଥିବା ବ୍ୟକ୍ତି ଜଣଙ୍କ ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । କିନ୍ତୁ ଏକ୍ଷେତ୍ରରେ ମେଡିକାଲ ଅଫିସର ତାଙ୍କୁ ପ୍ରୋତ୍ସାହନ କରୁଛନ୍ତି । ସିକ୍ୟୁରିଟି ଗାର୍ଡ ରହିବା ପାଇଁ ଦିଆଯାଇଥିବା ଏକ କୋଠରିରେ ଅସାମାଜିକ କାର୍ଯ୍ୟ ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଗଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି । ଏସବୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ।

Get real time updates directly on you device, subscribe now.