fbpx

ନଦୀପଠା ବାଲି ଖୋଳି ଦରଶଢ଼ା ଶବ ଜବତ କଲା ପୋଲିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ବାଲିଯାତ୍ରା ପଡ଼ିଆରେ ଶବ ମିଳିବା ଘଟଣାରେ ତନାଘନା ଚଳାଇଛି ପୋଲିସ୍ । ନଦୀପଠା ବାଲି ଖୋଳି ଦରଶଢ଼ା ଶବକୁ ଜବତ କରିଛି ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଯାଞ୍ଚ କରିଛି । ମୃତ ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ । ତେବେ ବୟସ ୨୫ରୁ ୩୫ ହେବ ବୋଲି ଅନୁମାନ କରାଯାଉଛି ।

ଯୁବକଙ୍କୁ ହତ୍ୟା କରି ବାଲି ଖୋଳି ନଦୀପଠାରେ ପୋତି ଦିଆଯାଇଥିବ ସ୍ପଷ୍ଟ କରିଛି ପୋଲିସ । ଗତ ୩ରୁ ୪ ଦିନ ତଳର ଏହି ହତ୍ୟାକାଣ୍ଡ । ଫଳରେ ମୃତଦେହ ପୂରା ପଚି ଯାଇଥିବାବେଳେ ମୁଣ୍ଡରେ ଏକ ଆଘାତ ଥିବାର ଜଣାପଡ଼ିଛି । ସେହିପରି ମୃତ ଯୁବକଙ୍କ ବାମପଟ କାନରେ ଏକ କୁଣ୍ଡଳ ଥିବାର ଦେଖିବାକୁ ମିଳିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ବାଲିଯାତ୍ରା ପଡ଼ିଆରେ ଏଭଳି ହତ୍ୟାକାଣ୍ଡକୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ । ଲୋକେ ଅଭିଯୋଗ କରିଛନ୍ତି ଯେ ସହର ଭିତରୁ ଅନେକ ଯୁବକଯୁବତୀ ଏଇ ନଦୀପଠାରେ ଆସି ନିଶା ସେବନ କରୁଛନ୍ତି । ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ଚାଲିଛି । କିନ୍ତୁ ପୋଲିସ ପ୍ରଶାସନ କେବେ ଏହା ଉପରେ ନଜର ଦେଉନାହାନ୍ତି । ଏପରିକି ଗାଁଲୋକେ ରାତି ୧୦ଟା ପର୍ଯ୍ୟନ୍ତ ଏଇ ନଦୀକୁ ଶୌଚ ହେବାକୁ ଆସୁଥିବାରୁ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି ।
ସେପଟେ ମୃତଦେହକୁ ବ୍ୟବଛେଦ ପାଇଁ ମେଡିକାଲ ପଠାଇଛି ପୋଲିସ । ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚିହ୍ନିବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ କେମିତି ଓ କାହିଁକି ସେଠାକୁ ଆସିଲେ ସେ ସମ୍ପର୍କରେ ତଦନ୍ତ ଚଳାଇଛି ପୋଲିସ ।

Get real time updates directly on you device, subscribe now.