ନୂଆଦିଲ୍ଲୀ: ଶନିବାର ଦିନ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସେନା ଦ୍ୱାରା ତିନି ଆତଙ୍କବାଦୀ ନିହତ । ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଉତ୍ତର କାଶ୍ମୀରର ବାନ୍ଦିପୋରାର ସୁମ୍ବାଲାର ଅଞ୍ଚଳରେ ଶୋଖବାବା ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ ହେଲେ ସେନା ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ । ଏହା ପରେ ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସେ କହିଛନ୍ତି। ଶ୍ରୀନଗର ଜନସମ୍ପର୍କ ଅଧିକାର କହିଛନ୍ତି ଏହି ଏନକାଉଣ୍ଟରରେ ଜଣେ ସେନା ଯବାନ ଆହତ ମଧ୍ୟ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ସଂଗଠନର ସେ ନେଇ ଚିହ୍ନଟ କରାଯାଉଛି।