fbpx

WHO ମୁଖ୍ୟ ବୈଜ୍ଞାନିକଙ୍କ ବଡ଼ ବୟାନ: ଭାରତରେ କରୋନାରୁ ଶୀଘ୍ର ମିଳିବନି ମୁକ୍ତି, ସଂକ୍ରମଣର ଉତ୍ଥାନ-ପତନ ଜାରି ରହିବ

ଭାରତରେ କରୋନାର ଏଣ୍ଡେମିକ୍‌ ପର୍ଯ୍ୟାୟ !

ଜେନେଭା (ଭାସ୍କର ନ୍ୟୁଜ୍) : ମହାମାରୀ ବିରୋଧରେ ଭାରତୀୟମାନେ କରୁଥିବା ଲଢ଼େଇରୁ ଏବେ ନିସ୍ତାର ମିଳିବ ନାହିଁ । ଭାରତରୁ କରୋନା ଆଗାମୀ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ । କୋଭିଡ୍‌ -୧୯ ମହାମାରୀର ଏଣ୍ଡେମିକ ପର୍ଯ୍ୟାୟରେ ଭାରତ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣ ସ୍ତରର ସଂକ୍ରମଣ ଜାରି ରହିବ । ସମ୍ପୂର୍ଣ୍ଣ ଭାବେ କରୋନା ଦେଶରୁ ଲୋପ ପାଇବ ନାହିଁ । ତେଣୁ ଲୋକଙ୍କୁ ସଂକ୍ରମଣ ସହ ବଞ୍ଚିବା ଶିଖିବାକୁ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ୍‌ ସୂଚନା ଦେଇଛନ୍ତି ।

ଦେଶରେ କରୋନା ସଂକ୍ରମଣର ମାତ୍ରା ଦିନକୁ ଦିନ କମି ଚାଲିଥିଲେ ମଧ୍ୟ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ୍‌ଙ୍କ ଏପରି ସୂଚନା ଏବେ ଚିନ୍ତା ବଢ଼ାଇ ଦେଇଛି । ସେ କହିଛନ୍ତି ଯେ ଏଣ୍ଡେମିସିଟି ପର୍ଯ୍ୟାୟ ହେଉଛି ଯେତେବେଳେ ଲୋକମାନେ ଜୀବାଣୁ ସହିତ ବଞ୍ଚିବା ଶିଖି ନିଅନ୍ତି । ମହାମାରୀ ପର୍ଯ୍ୟାୟଠାରୁ ଏହା ଭିନ୍ନ । ଭାଇରସ ଲୋକଙ୍କ ଭିତରେ ସବୁବେଳେ ରହିଥାଏ । ବର୍ତ୍ତମାନ ଭାରତ ଉକ୍ତ ପର୍ଯ୍ୟାୟରେ ପ୍ରବେଶ କରିବାର ସମ୍ଭାବନା ରହିଛି । କରୋନାରୁ ମୁକ୍ତି ପାଇଁ ଏବେ ଭାରତୀୟଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ସେ ଏକ ଆଶ୍ୱସ୍ତିକର ସୂଚନା ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ଭାରତରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଯେଉଁ ପ୍ରକାର ହାହାକାର ସ୍ଥିତି ଦେଖାଦେଇଥିଲା ତାହା ଆଉ ଦେଖିବାକୁ ମିଳିବନି । ଅର୍ଥାତ ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଯେପରି କରୋନା ଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଉଥିଲା ସେପରି ଆଉ ଘଟିବ ନାହିଁ । ଏହାଠାରୁ ଅନେକ ପରିମାଣରେ କମ୍‌ ସଂକ୍ରମିତ ଚିହ୍ନଟ ହେବେ । କିନ୍ତୁ ଭାରତରେ ଅନ୍ୟ ରୋଗ ଭଳି କରୋନା ମଧ୍ୟ ଅନେକ ଦିନ ରହିପାରେ ଏବଂ ଲୋକମାନେ ସଂକ୍ରମିତ ହେବା ପରେ ପୁଣିଥରେ କିଛି ଦିନ ପରେ ସୁସ୍ଥ ହେବେ ବୋଲି ଡ. ସ୍ୱାମୀନାଥନ୍‌ ଆଶଙ୍କାବ୍ୟକ୍ତ କରିଛନ୍ତି ।

ଏପରି ସ୍ଥିତି କାହିଁକି ହେଉଛି ବୋଲି ସ୍ୱାମୀନାଥନ୍‌ଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ଭାରତରେ ଜନସଂଖ୍ୟାର ବିବିଧତା ଏବଂ ପ୍ରତିରକ୍ଷା ସ୍ଥିତି ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି । କରୋନା ସଂକ୍ରମଣର ହାର କମିବା ଓ ବଢ଼ିବା ଜାରି ରହିବ ବୋଲି ସେ କହିଛନ୍ତି । ୨୦୨୨ ମସିହା ଶେଷ ସୁଦ୍ଧା ଭାରତରେ ୭୦ ପ୍ରତିଶତ ଟିକାକରଣ କରାଯାଇ ସାରିଥିବ ଏବଂ ଏହାପରେ କରୋନାଜନିତ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ ବୋଲି ଡ. ସ୍ୱାମୀନାଥନ୍‌ ଆଶାବ୍ୟକ୍ତ କରିଛନ୍ତି । ଭାରତର ନିଜସ୍ୱ କରୋନା ଟିକା ତଥା ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ ସମ୍ପର୍କରେ ଡ. ସ୍ୱାମୀନାଥନ୍‌ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟ ଭାଗ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟେକ୍ନିକାଲ୍‌ ଗ୍ରୁପ୍ କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରନ୍ତି । କମ୍ପାନୀ ଦେଇଥିବା ତଥ୍ୟ ଗ୍ରୁପ୍‌ର ସବୁ ସଦସ୍ୟଙ୍କୁ ସନ୍ତୁଷ୍ଟ କରିାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।

ଭାରତର ଆକାର ତଥା ଦେଶର ବିଭିନ୍ନ ଭାଗର ଜନସଂଖ୍ୟାକୁ ଦେଖିଲେ, କରୋନା ସଂକ୍ରମଣର ଉତ୍ଥାନ ପତନ ଲାଗି ରହିାରେ । ସେହିରି ଛୋଟ ପିଲାମାନଙ୍କ ସଂକ୍ରମଣକୁ ନେଇ ସେ ବାପା ମା’ଙ୍କୁ ବ୍ୟସ୍ତ ନ ହେବାକୁ ଡ. ସ୍ୱାମୀନାଥନ୍‌ କହିଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସରେ ଛୋଟ ପିଲା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ଏହା ସେମାନଙ୍କୁ ଅଧିକ ଗୁରୁତର କରିବ ନାହିଁ । ତେଣୁ କେହି ବି ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେବା ସହ କରୋନା କଟକଣା ପାଳନ କରିବାକୁ କହିଛନ୍ତି ।

Get real time updates directly on you device, subscribe now.