fbpx

ଇତିହାସରେ ପ୍ରଥମଥର ପାଇଁ ଆଜି ୯ ସୁପ୍ରିମକୋର୍ଟ ଜଜ୍ ନେବେ ଶପଥ

ନୂଆଦିଲ୍ଲୀ: ଦେଶର ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ୯ ବିଚାରପତି ଆଜି ପଦ ଓ ଗୋପନୀୟତାର ଶପଥ ନେବେ । ଖାସ୍ ହେଉଛି କି ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଜ୍ ବି ସାମିଲ ଅଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନ ଏହି ୯ ଜଣିଆ ତାଲିକାରେ ଅଛନ୍ତି, ଯିଏ ଭବିଷ୍ୟତରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ଭାରତର ସିଜେଇ ଏନ. ଭି ରମଣଙ୍କ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । କରୋନା ନିୟମ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଶପଥ ଗ୍ରହଣ ସମାରୋହ ସୁପ୍ରିମକୋର୍ଟ ଭବନ ପରିସରରେ ହେବ ।

ତେବେ ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ। ଏମାନଙ୍କ ବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍‌ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ଏହି ୯ ଜଣ ବିଚାରପତିଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିବ।

Get real time updates directly on you device, subscribe now.