fbpx

ଅଜବ ଲୁଟେରା: ଦମ୍ପତିକୁ ବନ୍ଧକ ରଖି ଲୁଟେଲ, ଯିବା ପୂର୍ବରୁ ୫୦୦ ଟଙ୍କା ଦେଇ ପାଦ ଛୁଇଁ କହିଲେ- ୬ ମାସରେ ସବୁ ଟଙ୍କା ଫେରାଇ ଦେବୁ

ଗାଜିଆବାଦ : ଲୁଟେରା ଏବଂ ଚୋର ଆସନ୍ତି ପରିବାର ଲୋକଙ୍କୁ ଛୁରି ଓ ବନ୍ଧୁକ ଦେଖାଇ ଭୟଭୀତ କରନ୍ତି ଏବଂ ଲୁଟି ଫେରାର ମାରନ୍ତି । ଆପଣ ଏମିତି ଅନେକ ଘଟଣା ଦେଖିଥିବେ । ହେଲେ ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧକ ବନାଇ ଲୁଟପାଟ୍ କରିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ରାଜନଗରରେ ଘଟିଛି । ରାଜନଗର ସେକ୍ଟର-୯ର ପୂର୍ବତନ ମେୟର ଆଶୁ ବର୍ମାଙ୍କ ବାସଭବନ ନିକଟରେ ବୃଦ୍ଧ ଦମ୍ପତ୍ତି ସୁରେନ୍ଦ୍ର ବର୍ମା ଓ ତାଙ୍କ ପତ୍ନୀ ଅରୁଣା ବର୍ମା ରହୁଛନ୍ତି । ବୁଲନ୍ଦସହର ରୋଡ ଶିଳ୍ପାଞ୍ଚଳରେ ତାଙ୍କର ଫ୍ୟାକ୍ଟ୍ରି ରହିଥିଲା, ଯାହା ଏବେ ବନ୍ଦ ପଡିଛି ।

ସୁରେନ୍ଦ୍ର ବର୍ମାଙ୍କ ତିନି ବିବାହିତ ଝିଅ ଅଛନ୍ତି, ଯେଉଁମାନେ ବିଦେଶରେ ରହୁଛନ୍ତି । ସୋମବାର ରାତି ପ୍ରାୟ ୩ଟା ୩୦ରେ ଚାରି ମୁଖା ପିନ୍ଧା ଲୁଟେରା ହାତରେ ହତିଆର ଧରି ଗ୍ୟାସ୍ କଟରରେ ଲୁହାର ଗେଟ୍ କାଟିଲେ ଏବଂ କାଚ ଫାଙ୍ଗି ବୃଦ୍ଧ ଦମ୍ପତ୍ତିଙ୍କ ଘରେ ପଶିଲେ । ଜଣେ ଲୁଟେରାର ହାତରେ ବନ୍ଧୁକ ଥିବା ବେଳେ ବାକି ତିନି ଜଣଙ୍କ ହାତରେ ଥିଲା ଛୁରି । ଦମ୍ପତ୍ତିଙ୍କ ବନ୍ଧକ ବନାଇ ଲୁଟେରା ଦେଢ ଲକ୍ଷ ଟଙ୍କା ଓ ଚାରି ଲକ୍ଷର ସୁନା ଗହଣା ଲୁଟି ନେଲେ । ଘଟଣାର ସୂଚନା ମିଳିବା ମାତ୍ରେ କବିନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ଦେଇଛି ।

କୁହାଯାଉଛି, ଲୁଟେରା ସବୁ ସାମାନ ବାନ୍ଧି ନେଇଯିବା ପୂର୍ବରୁ ବୃଦ୍ଧ ଦମ୍ପତ୍ତିଙ୍କ ପାଦ ଛୁଇଁ କ୍ଷମା ମାଗିଛନ୍ତି । ଲୁଟେରା କହିଛନ୍ତି, ଆମକୁ କ୍ଷମା କରି ଦେବେ । ଆମେ ଛଅ ମାସ ପରେ ସମସ୍ତ ଟଙ୍କା ଓ ସୁନାଗହଣା ଫେରାଇ ଦେବୁ। ଯିବା ସମୟରେ ସେମାନେ ଦମ୍ପତ୍ତିଙ୍କୁ ୫୦୦ ଟଙ୍କା ମଧ୍ୟ ଦେଇଛନ୍ତି ।

 

Get real time updates directly on you device, subscribe now.