fbpx

ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲା ରହିବ ଦୋକାନ ବଜାର, ବାହାଘର ଓ ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ ୨୫୦ ଜଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନା ପ୍ରସଙ୍ଗରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ମଙ୍ଗଳବାର ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ନୂଆ ଘୋଷଣା ଅନୁଯାୟୀ, ପୂର୍ବରୁ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ଲାଗୁ କରାଯାଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଇ ଦିଆଯାଇଛି । ଫଳରେ ଏବେ ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ରହିବନି । ସେହିପରି ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଚାଲିଥିବାରୁ ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ଲାଗୁ ହେଉଥିବା ରାତ୍ରୀକାଳୀନ କର୍ଫ୍ୟୁକୁ ଏବେ କେବଳ ପୌରାଞ୍ଚଳରେ ସୀମିତ ରଖାଯାଇଛି । ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ରହିବ ବୋଲି ଘୋଷଣା କରାଯାଇଛି । ଏହାଫଳରେ ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ । ପୂର୍ବରୁ ନାଇଟ୍‌ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ଯାଉଥିବାରୁ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲି ପାରୁଥିଲା ।

ତେବେ ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରଖାଯାଇଛି । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ମଧ୍ୟ ପୂର୍ବରୁ ଥିବା କଟକଣା ଜାରି ରହିବ । ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡ୍‌ଲାଇନ୍‌ ମାନି ମିଟିଂ ହୋଇପାରିବ । ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯାଇଛି । ଏବେ ବିବାହ କାର୍ଯ୍ୟ ଓ ଅନ୍ତେଷ୍ଟି କାର୍ଯ୍ୟରେ ୨୫୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ହେବ । ପୂର୍ବରୁ ବାହାଘରରେ ମାତ୍ର ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଥିଲେ ସରକାର । ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାହାଘରରେ ୨୫୦ ଜଣ ମଧ୍ୟରେ ରହିବେ ବୋଲି ଦର୍ଶାଯାଇଛି । ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ଶୋଭାଯାତ୍ରା ହୋଇପାରିବ । ଏହି ୫୦ଜଣଙ୍କ ମଧ୍ୟରେ ଲାଇଟ୍‌, ସାଉଣ୍ଡ୍‌, ବରଯାତ୍ରୀ ରହିବେ । ତେବେ ବିବାହ ଶୋଭାଯାତ୍ରା ପାଇଁ ପ୍ରାଧିକୃତ ଅଧିକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ଼ ନିୟମ ମାନି ଖୋଲିପାରିବ ।

ସିନେମା ହଲରେ ଯେତିକି ସିଟ୍‌ ଥିବ ସେତିକି ଲୋକ ଯାଇପାରିବେ । ଅର୍ଥାତ ଶତ ପ୍ରତିଶତ କ୍ଷମତାରେ ଚାଲିାରିବ ସିନେମା ହଲ୍‌ । ଏଣିକି ସିନେମା ହଲ୍‌ ଏବଂ ସପିଂ ମଲକୁ ଯିବାକୁ ହେଲେ ଆପଣଙ୍କୁ ଆଉ ଦୁଇଟି ଡୋଜ୍‌ ଟୀକାର ପ୍ରମାଣପତ୍ର ଦେଖାଇବାକୁ ପଡିବନାହିଁ । କିମ୍ବା ଆରଟି-ପିସିଆର ନେଗେଟିଭ୍‌ ରିପୋର୍ଟର ମଧ୍ୟ ଆବଶ୍ୟକତା ନାହିଁ । ସେହିରି ପୂର୍ବରୁ ମଲ୍‌ ଏବଂ ସିନେମା ହଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲିବା ପାଇଁ ନିୟମ ରହିଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଗାଇଡଲାଇନରେ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ସିନେମା ହଲ୍‌ । ସିନେମା ହଲ୍‌, ମଲ୍‌କୁ ଯିବାକୁ ଥିବା ପୂର୍ବ କଟକଣା କୋହଳ କରାଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍‌, ମଲ୍‌ ମାଲିକ ବୁଝିବେ ।

ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ । ଜିଲ୍ଲାପାଳ ବା ଟୁଇନସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇବେ ବୋଲି ସୂଚନା ଦିଆଯାଇଛି । ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ନାଇଟ୍‌ କର୍ଫ୍ୟୁ ସମୟରେ ଓଲା ଓ ଉବେର ମଧ୍ୟ ଚାଲି ।ରିବ । ଏପରିକି ଟ୍ରେନ ଓ ବସ୍‌ରେ କେଉଁ ଆଡେ ଯାଉଥିଲେ ଟ୍ରେନ୍‌ ଟିକେଟ୍‌ ଦେଖାଇ ଯାଇପାରିବେ । ହୋମ ଡେଲିଭରୀ ହୋଇପାରିବ ।

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ ବିନା ଭକ୍ତରେ ପୂଜା ପାର୍ବଣ ଅନୁଷ୍ଠିତ ହେବ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍‌ ରହିବ । ପୂଜା ପେଣ୍ଡାଲର ତିନି ପଟ ଆବଦ୍ଧ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପେଣ୍ଡାଲର ସାମ୍ନା ପଟ ଏଭଳି ଭାବେ ଆବଦ୍ଧ କରାଯିବ ଯେପରି ଲୋକମାନେ ଭଗବାନଙ୍କ ଦର୍ଶନ କରିପାରିବେ ନାହିଁ । ପୂଜା ପେଣ୍ଡାଲରେ ସର୍ବାଧିକ ୭ ଜଣଙ୍କୁ ରହିବାକୁ ଅନୁମତି ମିଳିଛି । ସେହିଭଳି  ଭସାଣୀ ଶୋଭାଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର । ଏନେଇ ଗତ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିଲା ଗାଇଡଲାଇନ୍‌ ।

Get real time updates directly on you device, subscribe now.