Ind vs Eng: ଭାରତକୁ ଜିତିବାକୁ ହେଲେ ଦରକାର ୨୫୦ ରନର ଅଗ୍ରଣୀ, ଜାଣନ୍ତୁ ଓଭାଲରେ ଚତୁର୍ଥ ଇନିଂସର ରେକର୍ଡ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ଦ୍ୱିତୀୟ ଦିନରେ ଇଂଲଣ୍ଡର ସ୍କୋରକୁ ୨୯୦ ରନରେ ସୀମିତ ରଖିଛନ୍ତି ଭାରତୀୟ ବୋଲର । ହେଲେ ଘରୋଇ ଦଳ ଭ୍ରମଣକାରୀ ଦଳଠୁ ୯୯ ରନର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ କେବଳ ୧୯୧ ରନରେ ଅଲଆଉଟ୍ ହୋଇଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ଭଲ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ କୌଣସି ୱିକେଟ୍ ନହରାଇ ୪୩ ରନ କରିଛି । କେଏଲ ରାହୁଲ ୨୨ ଓ ରୋହିତ ଶର୍ମା ୨୦ ରନ କରି ଅପରାଜିତ ଅଛନ୍ତି । ଇଂଲଣ୍ଡ ଏବେ ମଧ୍ୟ ଭାରତଠୁ ୫୬ ରନରେ ଆଗୁଆ ରହିଛି । ତୃତୀୟ ଦିନରେ ଦଳ ଦୁଇ ଓପନର ରୋହିତ ଓ ରାହୁଲଙ୍କଠୁ ବଡ ଆଶା ରହିଛି । ଯଦି ଭାରତକୁ ମ୍ୟାଚ୍ ଜିତିବାକୁ ହୁଏ ତେବେ ୨୫୦ ରନର ଅଗ୍ରଣୀ ହାସଲ କରିବାକୁ ପଡିବ ।

ଚତୁର୍ଥ ଇନିଂସରେ ଏହି ପଡିଆରେ ସବୁଠୁ ଅଧିକ ରନ କରିବାର ରେକର୍ଡ ଭାରତ ନାମରେ ହିଁ ରହିଛି । ୧୯୭୯ରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଏହି ପଡିଆରେ ୮ ୱିକେଟ୍ ହରାଇ ୪୨୯ ରନ କରି ମ୍ୟାଚ୍ ଡ୍ର ରଖିବାରେ ସଫଳ ହୋଇଥିଲା । ସୁନିଲ ଗାଭାସ୍କର ଏହି ମ୍ୟାଚରେ ୨୨୧ ରନର ମାରାଥନ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ୧୯୪୭ରେ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ଗ୍ରାଉଣ୍ଡରେ ସାତ ୱିକେଟ୍ ହରାଇ ୪୨୩ ରନ କରି ମ୍ୟାଚ୍ ଡ୍ର ରଖିଥିଲା ।

ଓଭାଲ ପଡିଆରେ ଇଂଲଣ୍ଡ ଦଳ ୨୬୩ ରନ କରି ମ୍ୟାଚ୍ ଜିତି ସାରିଛି । କିନ୍ତୁ ଏହା ୧୯୦୨ର କଥା । ଏହା ବ୍ୟତୀତ ଏହି ପଡିଆରେ ଇଂଲଣ୍ଡ ଦୁଇ ଥର ଚତୁର୍ଥ ଇନିଂସରେ ୩୦୦ରୁ ଅଧିକ ରନ କରି ମ୍ୟାଚ୍ ବଞ୍ଚାଇବାରେ ସଫଳ ରହିଛି । ୨୦୦୭ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବିପକ୍ଷରେ ଘରୋଇ ଇଂଲଣ୍ଡ ଚତୁର୍ଥ ଇନିଂସରେ ୬ ୱିକେଟରେ ୩୬୯ ରନ କରି ମ୍ୟାଚ୍ ଡ୍ର କରିବାରେ ସକ୍ଷମ ହୋଇଥିଲା । ଯଦି ଭାରତକୁ ଏହି ଟେଷ୍ଟ ଜିତିବାକୁ ହୁଏ ତେବେ ଦଳକୁ ଅତି କମରେ ୩୫୦ ରନ କରିବାକୁ ପଡିବ । ଏଥିରେ ଇଂଲଣ୍ଡକୁ ଚତୁର୍ଥ ଇନିଂସରେ ବିଜୟ ପାଇଁ ୨୫୦ ରନର ଲକ୍ଷ୍ୟ ମିଳିବ ।