fbpx

କୃଷକ ଆନ୍ଦୋଳନ ନେଇ କଠୋର ହେଲେ ମାନବାଧିକାର ଆୟୋଗ, ଚାରି ରାଜ୍ୟକୁ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀମାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଜାରି କୃଷକଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଆୟୋଗ ବିରୋଧ ପ୍ରଦର୍ଶନ କାରଣରୁ ଅନେକ ସମସ୍ୟାୁ ନେଇ ହେଉଥିବା ଅଭିଯୋଗକୁ ଆଧାର କରି ରାଜ୍ୟଗୁଡିକୁ ପତ୍ର ଲେଖିଛନ୍ତି । ଆୟୋଗ କହିଛନ୍ତି ଯେ, ଏମିତି ଅଭିଯୋଗ ଆସୁଛି ଯେ, ଦୀର୍ଘ ଦିନ ଧରି ଆନ୍ଦୋଳନ କାରନରୁ ଉଦ୍ୟୋଗ ଓ ଯାତାୟାତ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି । ଗତ ନଭେମ୍ବର ମାସରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏଥିରେ ଅଧିକାଂଶ କୃଷକ ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ।

ମଙ୍ଗଳବାର ମାନବାଧିକାର ଆୟୋଗ ଏହି ସଂଦର୍ଭରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଦୀର୍ଘ ଦିନ ଧରି ଆନ୍ଦୋଳନ ଯୋଗୁଁ ଉଦ୍ୟୋଗ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ୯୦୦୦ରୁ ଅଧିକ ସୂକ୍ଷ୍ମ, ମଧ୍ୟମ ଓ ବଡ କମ୍ପାନୀ ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି । ଏପରିକି ପରିବହନ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି। ଯାତ୍ରୀ, ରୋଗୀ, ଶାରୀରିକ ଭାବେ ଅକ୍ଷମ ଲୋକେ ଏବଂ ବରିଷ୍ଠ ନାଗରିକଙ୍କୁ ସଡକ ଜାମ କାରଣରୁ ନିତିଦିନ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ନୋଟିସରେ ଆୟୋଗ କହିଛନ୍ତି, କୃଷକ ଆନ୍ଦୋଳନ ଏବଂ ବ୍ୟାରିକେଡ୍ ଯୋଗୁଁ ଲୋକଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଲମ୍ବା ବାଟ ଯିବାକୁ ପଡୁଛି । ଆୟୋଗ ନୋଟିସ୍ ଜରିଆରେ ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ କମିଶନରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଆନ୍ଦୋଳନରେ ମାନବାଧିକାର ପ୍ରସଙ୍ଗ ସାମିଲ ରହିଛି ।

Get real time updates directly on you device, subscribe now.