fbpx

ତାଲିବାନକୁ ଚୀନ ସମର୍ଥନ କରିବା ପଛର ଭିତିରି ରହସ୍ୟ ହେଉଛି ଜମ୍ମୁ କଶ୍ମୀର ଓ ଆଫଗାନିସ୍ତାନର ଖଣିଜ ଭଣ୍ଡାର, ଭାରତ ପାଇଁ ଏହା ବିପଦ ଘଣ୍ଟି

ଭୁବନେଶ୍ୱର: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ବର୍ତ୍ତମାନ ତାଲିବାନ ସରକାର ଗଠନ କରିଛି । ତେବେ ତାଲିବାନକୁ ଚୀନ ଓ ପାକିସ୍ତାନ ଉଭୟ ରାଷ୍ଟ୍ର ସମର୍ଥନ ଦେଇ ଆସୁଥିବା ଦେଖାଯାଇଥିଲା । ଜଣାପଡ଼ିଛି ଯେ, ଏହି ସମର୍ଥନ ପଛରେ ଚୀନର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି, ଯାହାକି ଭାରତ ପାଇଁ ବିପଦର କାରଣ ହୋଇପାରେ । ଗତ ୨୦୧୯ ମସିହାରେ ଚୀନ ତାଲିବାର ନିକଟତର ହେବା ପରେ ମୁଲ୍ଲା ଅବଦୁଲ ଗନି ବରାଦର ଚୀନ୍ ଗସ୍ତ କରିଥିଲେ । ସେ ସମୟରେ ତାଲିବାନ ଓ ଚୀନ ମିଳିତ ଭାବେ ଆମେରିକା ସହ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିବା ଶୁଣାଯାଉଛି ।

କିଛି ବିଶେଷଜ୍ଞଙ୍କ ମତରେ, ଉଭୟ ତାଲିବାନ ଓ ଚୀନ ପରସ୍ପର ପ୍ରତି ନିର୍ଭରଶୀଳ । ଆଫଗାନିସ୍ତାନରେ ୧ ଟ୍ରିଲିୟନ ଡଲାରର ବହୁମୂଲ୍ୟ ଖଣିଜ ଭଣ୍ଡାର ରହିଥିବା ଅନୁମାନ କରାଯାଉଛି । ଉଚ୍ଚତମ ଆବଡ଼ା ଖାବଡ଼ା ପାହାଡ଼ଗୁଡ଼ିକରୁ ଖଣିଜ ସମ୍ପଦ ଉତ୍ତୋଳନ କରିବାର ଟେକନିକ ଚୀନକୁ ଜଣାଅଛି । ତେଣୁ ଚୀନ ସହାୟତାରେ ଏହି ସମ୍ପଦକୁ ବାହାର କରି ରାଜସ୍ୱ ଅର୍ଜନ କରିବା ତାଲିବାନ ଲକ୍ଷ୍ୟ ରଖିଛି । କାରଣ ନିଜର ସରକାରକୁ ଚଳାଇବା ସକାଶେ ତାଲିବାକୁ ରାଜସ୍ୱର ଆବଶ୍ୟକତା ରହିଛି ।

ଆମେରିକା ସୈନ୍ୟ ଆଫଗାନିସ୍ତାନରେ ଥିବାବେଳେ ଚୀନ ବାଧ୍ୟ ହୋଇ ନିରବ ରହୁଥିଲା । ଫଳରେ ଭାରତ ଆଫଗାନିସ୍ତାନରେ ନିବେଶ କରିପାରୁଥିଲା । ମାତ୍ର ଏବେ ପରିସ୍ଥିତି ଭିନ୍ନ ଥିବାରୁ ପାକିସ୍ତାନ ଓ ଚୀନ ଆଫଗାନିସ୍ତାନରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଚୀନ ଓ ପାକ୍ ତାଲିବାନ ସହ ମିଶି ଜମ୍ମୁ-କଶ୍ମୀରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାହା ଭାରତର ସୁରକ୍ଷା ପ୍ରତି ବିପଦ ସାଜିବ । ଆଇଏସଆଇର ମୁଖ୍ୟ ତାଲିବାନ ନେତାଙ୍କ ସହିତ ସାକ୍ଷାତ କରିଥିଲେ । ହୋଇପାରେ ସେମାନେ ଭାରତର କ୍ଷତି କରିବା ପାଇଁ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି । ତେଣୁ ଏ କ୍ଷେତ୍ରରେ ଭାରତ ସୁଚିନ୍ତିତ ରଣନୀତି ଆପଣାଇବା ଦରକାର ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.