fbpx

ବିଏମ୍ସି ଅଧିକାରୀ ହଟହଟା: ଲିଫ୍ଟରେ ବନ୍ଦ କରିଦେଲେ ବାର୍ କର୍ମଚାରୀ, ୫ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଲକା ଆଉ ଚିକମିକ ଆଲୁଅରେ ସବୁ ରାତି ହେଉଥିଲା ରଙ୍ଗୀନ। ଜମୁଥିଲା ମଦ ମାଂସର ଆସର । ଡିଜେ ଗୀତରେ କମ୍ପି ଉଠୁ ଥିଲା ଆଖପାଖ ଅଞ୍ଚଳ। ନିଶାସକ୍ତ ହୋଇ ଡିଜେ ଗୀତର ତାଳେତାଳେ ନାଚୁଥିଲେ ଯୁବକ ଯୁବତୀ ମାନେ। ଦୀର୍ଘଦିନ ହେବ ଭୁବନେଶ୍ୱରର ଅନେକ ବାର ରେ ଦେଖିବାକୁ ମିଳୁଥିଲା ଏପରି ଦୃଶ୍ୟ। ଏଠି ସରକାର ଏବଂ ପ୍ରଶାସନର ନିୟମ ଓ କଟକଣାକୁ ଗୋଡ଼ରେ ଦଳି ଚକଟି ଦିଆଯାଉଥିଲା। କେତେବେଳେ ରାତି ୧୦ରୁ ୧୨ଟା ବାଜୁଥିଲା ତାହା ଜାଣିପାରୁ ନଥିଲେ ନିଶାରେ ମସଗୁଲ ଯୁବକ-ଯୁବତୀ ଏବଂ କିଛି ପୁଲିସ ଅଧିକାରୀଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ବାରକୁ ଆସୁଥିବା ଗ୍ରାହକଙ୍କୁ ନିର୍ଭୟର ବରଦାନ ଦେଉଥିଲେ ବାର ମାଲିକ ଏବଂ ସେମାନଙ୍କ ମ୍ୟାନେଜର ମାନେ।

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଏବଂ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଅନେକ ବାରରେ ମେଲୁଥିଲା ନିଶାର ପସରା। ଭୁବନେଶ୍ୱର ଡ଼ିସିପିଙ୍କ ସୂଚନା ଅନୁସାରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବା ସମସ୍ତ ବାରର ଉପରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ସିଲ ମଧ୍ୟ କରାଯିବ। ତେବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଉପରି ବାରରେ କୋଭିଡ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ ହେଉଥିବା ଖବର ପାଇ କିଛି ପୁଲିସ କର୍ମୀଙ୍କ ସହ ରାତି ୧୧ଟା ବେଳେ ମିଳିତ ଭାବେ ଚଢ଼ାଉ କରିଥିଲେ ବିଏମସି ର ୨ଜଣ ଜୋନାଲ ଡେପୁଟି କମିଶନର , ଆସିଷ୍ଟାଣ୍ଟ ବିଏମସି ଏନ୍ଫୋର୍ସମେଣ୍ଟ କମିଶନର ଏବଂ କୋଭିଡ ଡିଉଟି ରେ ଥିବା ସ୍ୱତନ୍ତ୍ର ଅଧିକାରୀ। ଚଢ଼ାଉ ସମୟରେ ଟେବୁଲରେ ରହିଥିଲା ଚାଖଣା ସାଙ୍ଗକୁ ବିଭିନ୍ନ କିସମର ମଦ। UPRE ବାର କୁ ରେଡ଼ ସମୟରେ ଅନେକ ନିଶାସକ୍ତ ଯୁବକ ଯୁବତୀ ମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ମୁଖ୍ୟ ଦ୍ୱାରରେ ଥିବା କିଛି ବିଏମସି କର୍ମୀ ଏବଂ କର୍ତ୍ତବ୍ୟରତ ପୁଲିସ କର୍ମୀ ମାନେ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅନୁସାରେ କାହାକୁ ବାହାରକୁ ଛାଡି ନଥିଲେ। ଏଥିରେ ଧସ୍ତାଧସ୍ତି ବଢିବାରୁ ଜଣେ ପୁଲିସ କର୍ମୀଙ୍କ ପୋଷାକକୁ ଧରି ଟଣା ଓଟରା କରିବା ସହ ଆକ୍ରମଣ କରିଥିଲେ।

ସେପଟେ UPRE ବାରର ମ୍ୟାନେଜର, ସୁପରଭାଇଜର ଏବଂ ସିକୁରୀଟି ଗାର୍ଡ ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଚଢ଼ାଉ ବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ଲିଫ୍ଟରେ ପୁରାଇ ସମ୍ପୂର୍ଣ୍ଣ ବିଲ୍ଡିଂର ବିଦ୍ୟୁତ ବିଛିନ୍ନ କରିଥିଲେ। ଦୀର୍ଘ ୫୦ ମିନିଟରୁ ଉର୍ଦ୍ଧ ସମୟ ଅନ୍ଧାର ଗରମ ଭିତରେ ଅଣନିଶ୍ୱାସୀ ହୋଇଥିଲେ ସମସ୍ତ ଅଧିକାରୀ। ଲିଫ୍ଟ ରେ ବନ୍ଦ ଥିବା ଜୋନାଲ ଡେପୁଟି କମିଶନର ଏବଂ ବିଏମସି ଅଧିକାରୀ ମାନେ ଅନେକ କହିବା ପରେ ବି ଛାଡ଼ିନଥିଲେ । ତେଣୁ ପୁଲିସ ଏବଂ ବିଏମସି କର୍ମଚାରୀ ମାନେ ବାଧ୍ୟ ହୋଇ ଅଟକ ରଖାଯାଇଥିବା ଯୁବକ ଯୁବତୀ ଓ ଗ୍ରାହକ ମାନଙ୍କୁ ଛାଡିବା ସହ ଉପର ମହଲାରେ ଜୀବନ ସହ ସଂଗ୍ରାମ କରୁଥିବା ସମସ୍ତ ଅଧିକାରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୀର୍ଘସମୟ ବନ୍ଦ ଜାଗାରେ ଥିବାରୁ ଅଣନିଶ୍ୱାସୀ ହୋଇ ଜୋନାଲ ଡେପୁଟି କମିଶନର ଓ କିଛି କର୍ମଚାରୀଙ୍କ ରକ୍ତଚାପ ବୃଦ୍ଧି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି ବିଏମସି ଅଧିକାରୀ ମାନେ ଏବଂ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ଚନ୍ଦ୍ରଶେଖରପୁର ପୁଲିସ।

Get real time updates directly on you device, subscribe now.