fbpx

ସପ୍ତାହକ ମଧ୍ୟରେ ରାହୁଲଙ୍କୁ ଦୁଇଥର ସାକ୍ଷାତ କଲେଣି ପାଇଲଟ୍: ପଞ୍ଜାବ ପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି?

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଇତିମଧ୍ୟରେ ସଚିନ ପାଇଲଟ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଛନ୍ତି । ଏହି ବୈଠକରେ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ରହିଥିବା ବେଳେ ରାଜ୍ୟର ନେତାଙ୍କୁ ନେଇ ମାନସ ମନ୍ଥନ ହୋଇଥିଲା । ଗତ ଗୁରୁବାର ଦିନ ସଚିନ ଜୟପୁରରେ ବାଚସ୍ପତି ସିପି ଯୋଶୀଙ୍କୁ ସାକ୍ଷାତ କରିଥିଲେ । ତେବେ ସପ୍ତାହକ ମଧ୍ୟରେ ସଚିନ ଦୁଇ ଦୁଇ ଥର ଦିଲ୍ଲୀ ଗସ୍ତ କରିସାରିଲେଣି । ସୂଚନା ଯୋଗ୍ୟ ଯେ, ପଞ୍ଜାବ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ପାଇଲଟଙ୍କ ସମର୍ଥକମାନେ ଦାବି କରି ଆସୁଛନ୍ତି । ରାଜ୍ୟର ଶାସନ ଭାର ପାଇଲଟଙ୍କ ଉପରେ ନ୍ୟସ୍ତ ପାଇଁ ମଧ୍ୟ ସେମାନେ ହାଇକମାଣ୍ଡଙ୍କ ନିକଟରେ ଗୁହାରି କରିଛନ୍ତି ।

ନିକଟରେ ରାଜସ୍ଥାନ କଂଗ୍ରେସର ଉପାଧ୍ୟକ୍ଷ ଓ ପାଇଲଟଙ୍କ ବିଶ୍ୱସ୍ତ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ପାଇଲଟଙ୍କୁ ନେଇ ବୟାନ ଦେଇଥିଲେ । କେବଳ କଂଗ୍ରେସ କାର୍ଯ୍ୟକର୍ତ୍ତା ନୁହନ୍ତି, ଜନତା ମଧ୍ୟ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ସେ କହିଥିଲେ । ଅପରପକ୍ଷରେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଜରୁରୀ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକମାନେ କହିଛନ୍ତି । ଆସନ୍ତା ମାସରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବାକୁ ଯାଉଥିବା ବେଳେ ସରକାରଠାରୁ ଆରମ୍ଭ କରି ସଂଗଠନରେ ସଚିନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ହାଇକମାଣ୍ଡ ଇଚ୍ଛୁକ ନଥିବା ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.