fbpx

ହର୍ଷଲଙ୍କ ହ୍ୟାଟ୍ରିକ ଓ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା: Rcbର ଷଷ୍ଠ ବିଜୟ

ନୂଆଦିଲ୍ଳୀ: ହର୍ଷଲ ପଟେଲଙ୍କ ହ୍ୟାଟ୍ରିକ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନରେ ପରାସ୍ତ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରି ଆରସିବି ୬ୱିକେଟ ବିନିମୟରେ ୧୬୫ ରନ କରିଥିଲା । ଜବାବରେ ହର୍ଷଲ ବଟେଲଙ୍କ ହ୍ୟାଟ୍ରିକ ଏବଂ ମ୍ୟାକ୍ସୱେଲଙ୍କ ୨ ୱିକେଟ ସଫଳତା ବଳରେ ମୁମ୍ବାଇ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟର ପର୍ପଲ କ୍ୟାପ ହୋଲ୍ଡର ହର୍ଷଲ ପଟେଲ ୧୭ ରନରେ ୪ ୱିକେଟ ଅକ୍ତିଆର କରି ବିଜୟର ମୁଖ୍ୟ ବିନ୍ଧାଣୀ ସାଜିଥିଲେ । ପଟେଲଙ୍କ ବ୍ୟତିତ ୟୁଜବେନ୍ଦ୍ର ଚହଲ ୩ଟି ଏବଂ ମ୍ୟାକ୍ସେଓଲ୍‌ ୨ଟି ୱିକେଟ ଅକ୍ତିଆର କରିଥିଲେ । ଓପନିଂ ୱିକେଟରେ ରୋହିତ ଶର୍ମା ଓ ଡିକକ୍‌ ୫୭ ରନ ଯୋଡିଥିଲେ । ରୋହିତ ଶର୍ମା ସର୍ବାଧିକ ୪୩ ରନ କରିଥିବା ବେଳେ ଡିକକ୍‌୨୪ ରନ ସଂଗ୍ରହ କରିଥିଲେ । ଏହି ଦୁଇ ଖେଳାଳିଙ୍କ ବାଦ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ ।
ଟସ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଦେବଦତ୍ତ ପାଡିକଲ । ଦ୍ୱିତୀୟ ୱିକେଟରେ ଶ୍ରୀକର ଭାରତ(୩୨) ଓ ବିରାଟ କୋହଲି(୫୧)ଙ୍କ ମଧ୍ୟରେ ୭୫ ରନର ଭାଗିଦାରୀ ହୋଇଥିଲା । ମ୍ୟାକ୍ସୱେଲ(୫୬)ଙ୍କ ଦ୍ରୁତ ବ୍ୟାଟିଂ ସହାୟତାରେ ଆରସିବି ୧୬୫ ରନ କରିଥିଲା । କୋହଲି ୪୨ଟି ବଲ ଖେଳି ୩ଟି ଲେଖାଏଁ ଛକ୍କା ଓ ଚୌକା ସହିତ ୫୧ ରନ କରିଥିବା ବେଳେ ମ୍ୟାକ୍ସୱେଲ ୩୭ ବଲ ଖେଳି ୬ ଚୌକା ଓ ୩ ଛକା ସହିତ ୫୬ ରନ ସଂଗ୍ରହ କରିଥିଲେ । ଏକଦା ମ୍ୟାକ୍ସୱେଲ ଏବଂ ଏବି ଡିଭିଲିୟର୍ସ ବ୍ୟାଟିଂ କରୁଥିବା ସମୟରେ ଆରସିବି ୧୮୦ ରନ ସଂଗ୍ରହ କରିବା ଭଳି ମନେ ହେଉଥିଲା । ମାତ୍ର ଜସପ୍ରୀତ ବୁମରା ଉଭୟ ଖେଳାଳିଙ୍କୁ ଆଉଟ କରିବା ସହିତ ମୁମ୍ବାଇକୁ ମ୍ୟାଚକୁ ଫେରାଇ ଆଣିଥିଲେ । ବୁମରା ୩୬ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ରାହୁଲ ଚହର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.