ସମସ୍ତ ପ୍ରକାର ପ୍ୟାକେଜିଂ ସାମଗ୍ରୀକୁ ନେଇ ଆସୁଛି ନୂଆ ନିୟମ, ଜାଣନ୍ତୁ କେବେଠାରୁ ହେବ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ସାମଗ୍ରୀର ପ୍ୟାକେଜିଂକୁ ନେଇ ଏକ ନୂଆ ନିୟମ ଲାଗୁ କରିବା ଯାଉଛନ୍ତି । ଏହାର ପରିଣାମସ୍ୱରୂପ ଏଣିକି ଯେ କୌଣସି ସାମଗ୍ରୀ କିଣିବା ପୂର୍ବରୁ ଗ୍ରାହକମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଉତ୍ପାଦନକାରୀ ସଂସ୍ଥାମାନେ ଏଣିକି ପ୍ୟାକେଜିଂ ସାମଗ୍ରୀରେ ଅତିରିକ୍ତ ମୂଲ୍ୟ ସାମିଲ କରିବାକୁ ପଡ଼ିବ । ସେମାନଙ୍କୁ ଦ୍ରବ୍ୟର ୟୁନିଟ ପିଛା ମୂଲ୍ୟ ଉଲ୍ଲେଖ କରିବାକୁ ପଡ଼ିବ । ଆସନ୍ତା ବର୍ଷ ଏପ୍ରିଲ ମାସ ସୁଦ୍ଧା ସରକାର ଏହି ନିୟମ ଲାଗୁ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ସଂଶୋଧିତ ପ୍ୟାକେଜିଂ କମୋଡିଟିଜ ନିୟମରେ ୧୯ ପ୍ରକାର ସାମଗ୍ରୀ ପାଇଁ ପ୍ୟାକେଜିଂର ନିୟମରେ ହ୍ରାସ କରାଯାଇଛି । ଏଗୁଡ଼ିକ ମଧ୍ୟରେ କ୍ଷୀର, ଚା, ବିସ୍କୁଟ, ଖାଇବା ତେଲ, ଅଟା, ସଫ୍ଟ ଡ୍ରିଙ୍କ, ପିଇବା ପାଣି, ବେବି ଫୁଡ, ଡାଲି, ବ୍ରେଡ, ସିମେଣ୍ଟ ବ୍ୟାଗ, ଡିଡରଜେଣ୍ଟ ଆଦି ୧୯ ପ୍ରକାର ଦ୍ରବ୍ୟ ସାମିଲ ରହିଛି । ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ଏହି ଦ୍ରବ୍ୟଗୁଡ଼ିକର ପ୍ୟାକେଜିଂ ଉପରେ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇପାରିବେ । ଏହି ନିୟମ ଲାଗୁ ହେବା ଫଳରେ ଗ୍ରାହକଙ୍କୁ ଅଧିକ ବିକଳ୍ପ ସୁବିଧା ମିଳିବ । ଏଥିସହ ବ୍ୟବସାୟ କରିବା ପାଇଁ ବ୍ୟବସାୟୀମାନଙ୍କୁ ଅଧିକ ସହଜ ହେବ ବୋଲି କୁହାଯାଇଛି । ତେବେ ସମସ୍ତ ପ୍ରକାର ୟୁନିଟର ପ୍ୟାକେଜ୍ ଉପଲବ୍ଧ ହେବା ଫଳରେ ଗ୍ରାହକମାନେ ସେମାନଙ୍କ ଇଚ୍ଛା ମୁତାବକ ଜିନିଷ ବାଛି ପାରିବେ । ସେମାନଙ୍କୁ ବାଧ୍ୟ ହୋଇ ଅଧିକ ପରିମାଣର ଦ୍ରବ୍ୟ କିଣିବାକୁ ପଡ଼ିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ କମ୍ପାନୀମାନେ ମାନୁଫାକଚରିଂ ତାରିଖ ଓ ବର୍ଷ ଦ୍ରବ୍ୟ ଉପରେ ଉଲ୍ଲେଖ କରିବେ ବୋଲି ମଧ୍ୟ ନିୟମରେ କୁହାଯାଇଛି ।