fbpx

ବିଶ୍ୱକପ ପରେ ଦାୟିତ୍ୱ ନେବେ ଦ୍ରାବିଡ: ୫ ଖେଳାଳିଙ୍କ ଉପରେ ରହିବ ନଜର

ନୂଆଦିଲ୍ଳୀ:ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଧୀରେ ଧୀରେ ଫର୍ମକୁ ଫେରୁଛି । ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହୋଇଥିବା ଦଳ ଦୁଇଟି ଚମକ୍ରାର ବିଜୟ ପାଇବା ପରେ ଏବେ ସେମି ଆଶା ବଳବତ୍ତର ରଖିଛି । ଏପରି ପରସ୍ଥିତିରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ । ଏହି ସିରିଜ ସହିତ ରାହୁଲ ଦ୍ରାବିଡ ଭାରତର କୋଚ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ସିରିଜର ଗୁରୁତ୍ୱକୁ ବଢାଇ ଦେଇଥିବା ବେଳେ ଏହି ସିରିଜ ପାଇଁ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ।

ଏହି ସିରିଜ୍ ପୂର୍ବରୁ ଭାରତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁୂବ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ସେହ୍ୱାଗ ମତ ଦେଇଛନ୍ତି । ୨୦୨୨ର ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ କରାଯିବା ଆବଶ୍ୟକ ବୋଲି ସେହ୍ୱାଗ ମତ ଦେଇଛନ୍ତି । ଫେସବୁକରେ ବୀରୁ ଗିରି ନାମକ ପ୍ରୋଗ୍ରାମରେ ସେହ୍ୱାଗ ଏଭଳି ମତ ଦେଇଛନ୍ତି । ଆସନ୍ତା ସିରିଜ ପାଇଁ ଭାରତ ଇଶାନ କିଶନ, ସୂର୍ଯ୍ୟ କୁମାର ଯାଦବ, କେ ଏଲ୍ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ସୁଯୋଗ ଦିଆଯିବା ଉଚିତ ବୋଲି ସେହ୍ୱାଗ କହିଛନ୍ତି । ଏହା ସହିତ ଆଇପିଏଲ-୧୪ର ଅରେଞ୍ଜ କ୍ୟାପ ହୋଲ୍ଡର ଋତୁରାଜ ଗାଏକ୍ୱାଡଙ୍କୁ ଦଳରେ ସାମିଲ କରିବା ଉପରେ ସେହ୍ୱାଗ ଗୁରୁତ୍ୱ ଦେଇଛନ୍ତି । ଏହି ଖେଳାଳି ମାନଙ୍କୁ ସୁଯୋଗ ମିଳିଲେ ହିଁ ସେମାନେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିପାରିବେ । ଏହା ସହିତ ପେସର ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ପ୍ରଦାନ ଉପରେ ସେହ୍ୱାଗ ଗୁରୁତ୍ୱ ଦେଇଛନ୍ତି । ତେବେ ଚଳିତ ନଭେମ୍ବର ୧୭ ତାରିଖରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି । ହେଲେ ଏଥିରେ ସେହ୍ୱାଗଙ୍କ ତାଲିକାକୁ ଚୟନକର୍ତ୍ତା ମାନେ କେତେ ପ୍ରାଧାନ୍ୟ ଦେଉଛନ୍ତି ଦେଖିବା ବାକି ରହିଲା ।

Get real time updates directly on you device, subscribe now.