fbpx

ଭବାନୀପାଟଣାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ୯୦୦ କୋଟି ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି

ଭବାନୀପାଟଣା(ଓଡ଼ିଶା ଭାସ୍କର): ଭବାନୀପାଟଣା ଗସ୍ତରେ ଯାଇ ହିତାଧିକାରୀଙ୍କୁ ଆଜି ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଦିଆଯାଇଛି । ଏହା ସହିତ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡିବାସୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ । ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ ଓ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ‘୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି । କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଆଜି ଜଳସେଚିତ ହୋଇଛି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡି ଆଜି ଏଜୁକେସନାଲ ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । କଳାହାଣ୍ଡି ଆଜି ବିଏସକେୟାଇରେ ସାମିଲ ହୋଇଛି । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।’

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି । ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡା ରାସ୍ତା କାମ, ବିଭିନ୍ନ ଗ୍ରୀଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ – ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି । କଳାହାଣ୍ଡିରେ ମିଶନ ଶକ୍ତିର ମା ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି ।’

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି । କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । କଳାହାଣ୍ଡିରେ 100 ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ।

Get real time updates directly on you device, subscribe now.