ନୂଆପଡ଼ା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ କଂଗ୍ରେସ ନେତା । ପୂର୍ବରୁ ବିଜେପି କର୍ମୀଙ୍କ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିବା ବେଳେ ଆଜି ନୂଆପଡ଼ା ତରବୋଡ଼ରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଅଣ୍ଡାମାଡ଼ ସହ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ମନ୍ତ୍ରୀ ପଦ୍ମନାଭ ବିଏସକେୟାଇ କାର୍ଡ ବାଣ୍ଟିବାକୁ ଗଲା ବେଳେ ଏପରି ପ୍ରତିବାଦ କରିଥିଲେ ବିରୋଧୀ ।
ତେବେ ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ପ୍ରତିବାଦ ହୋଇଛି । ଏହା ପୂର୍ବରୁ ଗତକାଲି ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅଣ୍ଡାମାଡ଼ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ଏହାପୁର୍ବରୁ ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସଙ୍କ ସହିତ ଯିବା ବେଳେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ଉଭୟେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କଲେଜ ଛକରେ ସେମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା ।