ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ
ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି । ଦେବେନ୍ଦ୍ରଙ୍କର ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସହ ସମ୍ପର୍କ ରହିବା ସହ ସେ ଜାଲ ନୋଟ୍ ରାକେଟ୍ ଚଳାଉଥିବା ନେଇ ଖୁଲାସା କରିଛନ୍ତି ନୱାବ । ଦାଉଦର ସହଯୋଗୀ ରିୟାଜ ଭାତି ସହ ଦେବେନ୍ଦ୍ରଙ୍କର ସମ୍ପର୍କ ରହିଥିବା ନେଇ ନୱାବ ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି ।
ନୱାବ କହିଛନ୍ତି ଯେ, ଦାଉଦର ସହଯୋଗୀ ରିୟାଜ ଫେକ୍ ପାସପୋର୍ଟ ମାମଲାରେ ଧରାପଡ଼ିଥିଲା । ରିୟାଜକୁ ବିଜେପି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ମାନଙ୍କରେ ମଧ୍ୟ ସେ ଅଂଶଗ୍ରହଣ କରିଥାଏ । ଦେବେନ୍ଦ୍ର ରାଜନୀତିକୁ ଅପରାଧୀକରଣ କରିଛନ୍ତି । ନାଗପୁରର ପେଶାଦାର ଅପରାଧୀ ମୁନ୍ନା ଯାଦବକୁ ଦେବେନ୍ଦ୍ର କନଷ୍ଟ୍ରକସନ ୱାର୍କର୍ସ ବୋର୍ଡରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେହିପରି ବାଂଲାଦେଶୀଙ୍କ ବେଆଇନ ସ୍ଥାନାନ୍ତରଣ ମାମଲାର ଆସାମୀ ହାଇଦର ଆଜମକୁ ଦେବେନ୍ଦ୍ର ମୌଲାନା ଆଜାଦ ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ ପଦରେ ବସାଇଥିଲେ । ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ସହ ମିଶ୍ରି ୨୦୧୬ର ବିମୁଦ୍ରୀକରଣ ସମୟରେ ଦେବେନ୍ଦ୍ର ମହାରାଷ୍ଟ୍ରରେ ନକଲି ନୋଟ୍ ରାକେଟ ଚଳାଥିଲେ । ୨୦୧୭ରେ ୧୪.୫୬ କୋଟି ନକଲି ନୋଟ ଜବତ ହୋଇଥିଲେ ହେଁ ଦେବେନ୍ଦ୍ର ତାହାକୁ ଦଫାରଫା କରିଥିଲେ । ୧୯୯୩ ବମ ବ୍ଲାଷ୍ଟର ଆସାମୀଙ୍କଠାରୁ ନୱାବ ଶସ୍ତାରେ ଜମି କିଣିଥିବା ଦେବେନ୍ଦ୍ର ଅଭିଯୋଗ କରିଥିଲେ । ଆଜି ନୱାବ ଦେବେନ୍ଦ୍ରଙ୍କ ଉପରକୁ ହାଇଡ୍ରୋଜେମ ବମ୍ ଫିଙ୍ଗି ତା’ର ପାଲଟା ଜବାବ ଦେଇଛନ୍ତି ।