ଦୁବାଇ: ପାକିସ୍ତାନର ଷ୍ଟାର୍ କ୍ରିକେଟର୍ ମହମ୍ମଦ ରିଜୱାନ ଟି୨୦ ବିଶ୍ୱକପ୍ ରେ ଦମଦାର ପ୍ରଦର୍ଶନ କରିଛନ୍ତି । ହେଲେ ଗୁରୁବାର ଦିନ ଅଷ୍ଟ୍ରେଲିୟା ବିପକ୍ଷ ମ୍ୟାଚ୍ ରେ ପାକିସ୍ତାନ ହାରି ଯାଇଥିଲା । ତେବେ ରିଜୱାନ୍ ଚଳିତ ଥର ଭଲ ଫର୍ମରେ ଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଅର୍ଦ୍ଧଶତକ କରି ମୋଟ ୨୮୧ ରନ୍ କରିଛନ୍ତି । ସେ ଏହି ସିଜନ୍ ରେ ସବୁଠାରୁ ଅଧିକ ଛକା ମାରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ । ତେବେ ସେମିଫାଇନାଲ୍ ପୂର୍ବରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ଜଣେ ଭାରତୀୟ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ।
ରିଜୱାନଙ୍କ ଛାତିରେ ସମସ୍ୟା ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ମେଦୋର ହସ୍ପିଟାଲରେ କାର୍ଯ୍ୟରତ ଥିବା ଡାକ୍ତର ସାହିର୍ ସେନଲବଦୀନ ସେମିଫାଇନାଲ୍ ପୂର୍ବରୁ ଆଇସିୟୁରେ ତାଙ୍କ ଚିକିତ୍ସା କରିଥିଲେ ଓ ସେ ଖୁବ୍ ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଇଥିଲେ । ଆଇସିୟୁ ଭିତରେ ରିଜୱାନ୍ ବାରମ୍ବାର କହିଚାଲିଥିଲେ ଯେ, ତାଙ୍କୁ ସୁସ୍ଥ ହେବାର ଅଛି ଓ ଟିମ୍ କୁ ସମର୍ଥନ କରିବାର ଅଛି । ତେଣୁ ଖୁବ୍ ଶୀଘ୍ର ଠିକ୍ ହେବାକୁ ଚାହୁଁଛନ୍ତି ।
ପାକିସ୍ତାନର ଏହି ଷ୍ଟାର୍ ଓପନର୍ ଅନେକ ସମସ୍ୟାରେ ଥିବା ସତ୍ତେ୍ୱ ୫୨ ବଲ୍ ରେ ୬୭ ରନ୍ କରିଥିଲେ । କିନ୍ତୁ ତାଙ୍କ ଟିମ୍ ଅଷ୍ଟ୍ରେଲିୟା ଠାରୁ ୫ଟି ୱିକେଟ୍ ରେ ହାରିଯାଇଥିଲା । ଖୋଦ୍ ଭାରତୀୟ ଡାକ୍ତର ସାହିର୍ କହିଛନ୍ତି ଯେ, ରିଜୱାନ୍ ଏତେ ଶୀଘ୍ର ସୁସ୍ଥ ହେବାର କାରଣ ହେଉଛି ତାଙ୍କ ଇଚ୍ଛାଶକ୍ତି । କାରଣ ସେ ମ୍ୟାଚ୍ ଖେଳିବାକୁ ଖୁବ୍ ଉତ୍ସାହିତ ଥିଲେ । ତାଙ୍କ ଠାରେ ପ୍ରତିବଦ୍ଧତା ଓ ଆତ୍ମବିଶ୍ୱାସ ଭରି ହୋଇରହିଥିଲା ।