ବିହାରରେ ନକ୍ସଲଙ୍କ ତାଣ୍ଡବ: ପରିବାରର ୪ ଜଣଙ୍କୁ ଫାଶୀ ଲଗାଇ କଲେ ହତ୍ୟା, ପୋଷ୍ଟର ଛାପି ଲେଖିଲେ- ପ୍ରତିଶୋଧ ନେଲୁ…

ନୂଆଦିଲ୍ଲୀ: ବିହାରରୁ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ଏଠାରେ ନକ୍ସଲଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଡୁମରିୟା ଅଞ୍ଚଳର ମୌନବାର ଗାଁରେ ନକ୍ସଲ୍ ମାନେ ୪ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଦେଇଛନ୍ତି । ତେବେ ଏହି ଘଟଣା ଶନିବାର ଦିନ ରାତିରେ ଘଟିଛି । ଏହି ମାମଲାର ସୂଚନା ମିଳିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରଖିବା ସହିତ ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁତାବକ, ମୌନବାର ଗାଁରେ ରହୁଥିବା ସରଜୁ ସିଂହ ଭୋକ୍ତାଙ୍କ ଘର ଉପରେ ବମ୍ ପକାଇ ଉଡ଼ାଇଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ନକ୍ସଲ ମାନେ ସ୍ୱାମୀ-ସ୍ତ୍ରୀ ସମେତ ପୁରା ପରିବାରକୁ ଫାଶୀରେ ଲଟାକାଇ ମାରି ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ସତେନ୍ଦ୍ର ସିଂହ, ମହେନ୍ଦ୍ର ସିଂ, ମନୋରମା ଦେବୀ ଓ ସୁନୀତା ସିଂ ।

ଏହା ବ୍ୟତୀତ ନକ୍ସଲ ମାନେ ଏପରି କାଣ୍ଡ ଘଟାଇବା ପରେ ପୋଷ୍ଟର୍ ଛପାଇଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ଏହି ପରିବାରର ଲୋକମାନେ ଷଡଯନ୍ତ୍ର କରି ଚାରି ଜଣ ନକ୍ସଲଙ୍କୁ ବିଷ ଦେଇ ମାରି ଦେଇଛନ୍ତି । ସେମାନେ ଏନକାଉଣ୍ଟରରେ ମରିନାହାନ୍ତି । ନକ୍ସଲମାନେ ଲେଖିଛନ୍ତି ଯେ, ଅମରେଶ କୁମାର, ଶିବପୁଜନ କୁମାର ଓ ଉଦୟ କୁମାର(୩ ନକ୍ସଲ)ଙ୍କ ମୃତ୍ୟୁବରଣ ପ୍ରତିଶୋଧ ନିଆଯାଇଛି ।