fbpx

NCAର ମୁଖ୍ୟ ପଦ ସମ୍ଭାଳିବେ ଭିଭିଏସ୍ ଲକ୍ଷ୍ମଣ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦେଲେ ସୂଚନା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯିବ । ଖୁବଶୀଘ୍ର ଲକ୍ଷ୍ମଣ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଲକ୍ଷ୍ମଣ ଏହି ପଦ ପାଇଁ ଇଚ୍ଛୁକ ନଥିବା ଗତ ମାସରେ ଚର୍ଚ୍ଚା ହେଉଥିଲା । ଲକ୍ଷ୍ମଣଙ୍କୁ ଏନସିଏର ମୁଖ୍ୟ ପଦରେ ଅବସ୍ଥାପିତ କରିବା ପାଇଁ ବୋର୍ଡ ଆଶାୟୀ ଥିଲା ।

ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହ ଏହି ପଦ ପାଇଁ ଲକ୍ଷ୍ମଣଙ୍କୁ ମନାଇଥିଲେ । ପାରସ ମହାମ୍ବ୍ରେ ଭାରତୀୟ ଦଳ ବୋଲିଂ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିବା ସ୍ଥିର ହୋଇ ସାରିଛି । ତେଣୁ ଆଗକୁ ବିସିସିଆଇ ଏନସିଏରେ ଜଣେ ବୋଲିଂ କୋଚଙ୍କୁ ନିଯୁକ୍ତି ଦେବ । ଉଭୟ ସୌରଭ ଓ ଜୟ ଏହି ପଦ ପାଇଁ ଲକ୍ଷ୍ମଣଙ୍କ ସପକ୍ଷରେ ଥିଲେ । ଏହି ପଦ ଦୌଡ଼ରେ ସବୁଠାରୁ ଆଗରେ ଲକ୍ଷ୍ମଣଙ୍କ ନାମ ରହିଥିଲା । ରାହୁଲ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ କୋଚ ଓ ଲକ୍ଷ୍ମଣଙ୍କ ଏନସିଏ ମୁଖ୍ୟ ଭାବେ ଉତ୍ତମ ବୁଝାମଣା ରହିବ । ପୂର୍ବରୁ ୨ ବର୍ଷ ପାଇଁ ଏନସିଏର ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଦ୍ରାବିଡ଼ଙ୍କ କାର୍ଯ୍ୟ ଏବେ ସମାପ୍ତ ହୋଇଯାଇଛି । ପୂର୍ବତନ କ୍ରିକେଟରମାନଙ୍କୁ ସର୍ବଦା ସିଷ୍ଟମରେ ରଖିବାର ଆବଶ୍ୟକତ ରହିଛି ବୋଲି ଗାଙ୍ଗୁଲି ହୃଦୟଙ୍ଗମ କରିଥିଲେ । ପୂର୍ବରୁ ଦ୍ରାବିଡ଼ ଓ ଲକ୍ଷ୍ମଣଙ୍କ ଯୋଡ଼ି ଭାରତକୁ ବହୁ ବିପଦରୁ ରକ୍ଷା କରିବା ସହ କୀର୍ତ୍ତିମାନ ସ୍ଥାପନ କରିଥିଲେ । ତେଣୁ ଭାରତୀୟ କ୍ରିକେଟକୁ ଦୁହେଁ ବହୁ ଆଗକୁ ନେଇ ପାରିବେ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.