fbpx

ଶନିବାର ଦେଶବ୍ୟାପୀ ‘କିଷାନ ବିଜୟ ଦିବସ’ ପାଳନ କରିବ କଂଗ୍ରେସ; ସୋନିଆ କହିଲେ- ଜିତିଲେ ଚାଷୀ, ହାରିଲେ ସରକାର

ନୂଆଦିଲ୍ଲୀ : ତିନି କୃଷି ଆଇନ ପ୍ରତ୍ୟାହାର ସହ ଦେଶରେ କୃଷକଙ୍କ ମହଲରେ ଖୁସିର ମାହୋଲ ଖେଳି ଯାଇଛି। ଆଜିର ଦିନକୁ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ପରି ଐତିହାସିକ ବୋଲି କହିଛନ୍ତି କୃଷକ ସଂଗଠନ ସହ ବିରୋଧୀ ଦଳ। ଏହି କ୍ରମରେ ଶନିବାର ଦେଶବ୍ୟାପୀ ‘କିଷାନ ବିଜୟ ଦିବସ’ କରିବାକୁ ଘୋଷଣା କରିଛି କଂଗ୍ରେସ। ଉଲ୍ଲେଖନୀୟ ଶୁକ୍ରବାର କେନ୍ଦ୍ରର ମୋଦୀ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି କ୍ରମେ ତିନି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଘୋଷଣା କରିଛନ୍ତି ଏବଂ ଆବଶ୍ୟକ ପ୍ରକ୍ରିୟା ସଂସଦର ଶୀତକାଳୀନ ଅଧିବେଶନରେ ପୂରା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କଂଗ୍ରେସର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳ ସାମ୍ବାଦିକ ସମ୍ମିଳନୀରେ ନଭେମ୍ବର ୨୦ରେ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ କଂଗ୍ରେସ କିଷାନ ବିଜୟ ଦିବସ ପାଳନ କରିବ ବୋଲି କହିଛନ୍ତି। ସମସ୍ତ ରାଜ୍ୟ କଂଗ୍ରେସକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରିବାକୁ ରାଜ୍ୟ ଶାଖା, ବ୍ଲକ ୟୁନିଟକୁ କୁହାଯାଇଥିବା ବେଣୁଗୋପାଳ କହିଛନ୍ତି।

ରାଜ୍ୟ ୟୁନିଟକୁ ପଠାଯାଇଥିବା ଚିଠିରେ ବେଣୁଗୋପାଳ କହିଛନ୍ତି, କୃଷକଙ୍କ ଆନ୍ଦୋଳନ ଏବଂ ବଳିଦାନ ସହ କଂଗ୍ରେସ ଏବଂ ସମସ୍ତ ବିରୋଧୀଙ୍କ ଲଢେଇ ଆଗରେ ସରକାର ମୁଣ୍ଡ ନୁଆଇଁଛନ୍ତି। ଶେଷରେ ସରକାରଙ୍କୁ ବାଧ୍ୟ ହୋଇ ତିନି ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତିନି ନୂତନ କୃଷି ଆଇନ ପ୍ରତ୍ୟାହାର ସରକାରଙ୍କ ନିଷ୍ପତ୍ତିକୁ କୃଷକଙ୍କ ବିଜୟ ଏବଂ ଏକଛତ୍ରବାଦ ଶାସକଙ୍କ ପରାଜୟ ବୋଲି କହିଛନ୍ତି।

ସେ କହିଛନ୍ତି ଆଶା କରୁଛି ନରେନ୍ଦ୍ର ମୋଦୀ ସରକାର ଏଥିରୁ ଭବିଷ୍ୟତ ପାଇଁ କିଛି ଶିକ୍ଷାଲାଭ କରିବେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ସୁନିଶ୍ଚିତ କରିବା ଉଚିତ୍। ଭବିଷ୍ୟତରେ କୃଷି ଆଇନ ପରି କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର, ବିରୋଧୀ ଦଳ ଏବଂ ଅନ୍ୟ ସମ୍ବନ୍ଧିତ ପକ୍ଷଙ୍କ ସହ ଆଲୋଚନା କରିବା ଉଚିତ୍ ବୋଲି ସୋନିଆ କହିଛନ୍ତି। ପ୍ରାୟ ୧୨ ମାସର ଗାନ୍ଧୀବାଦୀ ଆନ୍ଦୋଳନ ପରେ ଆଜି ଦେଶର ୬୨ କୋଟି ଅନ୍ନଦାତା, କୃଷକ, ଶ୍ରମିକଙ୍କ ସଂଘର୍ଷ ଏବଂ ଇଚ୍ଛାଶକ୍ତିର ବିଜୟ ହୋଇଛି ବୋଲି ସୋନିଆ କହିଛନ୍ତି।

Get real time updates directly on you device, subscribe now.