fbpx

୨୯ରୁ ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ; ସହରକୁ ପେଟ୍ରୋଲ-ଡିଜେଲ ଗାଡ଼ି ମନା

ନୂଆଦିଲ୍ଲୀ: ପ୍ରଦୂଷଣର ବିଷୟ ବଳୟରେ ଆଉଟ ପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି । ତଥାପି ଦିଲ୍ଲୀ ସରକାର ଆସନ୍ତା ସୋମବାର ଠାରୁ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ସୁପ୍ରିମକୋର୍ଟ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ତେବେ ଯଦି ସ୍ଥିତିରେ ସୁଧାର ଆସିଛି, ତା’ହେଲେ କିଛି କଟକଣା କୋହଳ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ଏହାପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସ୍କୁଲ ଓ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି । କିନ୍ତୁ ଡିସେମ୍ବର ୩ ତାରିଖ ଯାଏ ଦିଲ୍ଲୀରେ କୌଣସି ପ୍ରକାରର ପେଟ୍ରୋଲ ଓ ଡିଜେଲ ଗାଡ଼ି ପ୍ରବେଶ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, “ଦିଲ୍ଲୀରେ ବାୟୁର ଗୁଣବତ୍ତାରେ କିଛିଟା ସୁଧାର ଆସିଛି । ତେଣୁ ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବ । ସେହିପରି ସୋମବାର ଠାରୁ ସମସ୍ତ ସରକାରୀ ଅଫିସ ମଧ୍ୟ ଖୋଲିବ । ଅଧିକାରୀମାନେ ଅଫିସ ଆସିବା ପାଇଁ ନିଜ ଗାଡ଼ି ବଦଳରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବସର ବ୍ୟବସ୍ଥା କରାଯିବ । ଯେଉଁ ସବୁ କଲୋନୀରେ ଅଧିକ ସଂଖ୍ୟକ ଦିଲ୍ଲୀ ସରକାରଙ୍କ କର୍ମଚାରୀ ରହୁଛନ୍ତି, ସେଠାରୁ ବସ୍‌ ? ସେବା ଆରମ୍ଭ କରାଯିବ । ୨୭ ନଭେମ୍ବର ଠାରୁ ଦିଲ୍ଲୀ ସରକାର ସିଏନଜି ଓ ଇଲେକ୍ଟ୍ରିକ ଗାଡ଼ି ଗୁଡ଼ିକୁ ସହରରେ ପ୍ରବେଶ ପାଇଁ ଅନୁମତି ଦେବେ । ଏହାବାଦ ଆଉ ସମସ୍ତ ପ୍ରକାରର ଗାଡ଼ିର ପ୍ରବେଶ ଉପରେ ଆସନ୍ତା ୩ ତାରିଖ ଯାଏ ବ୍ୟାନ ଲଗାଯାଇଛି ।” ଦିଲ୍ଲୀରେ ପ୍ରଦୂଷଣ ପାଇଁ ୨ ସପ୍ତାହ ହେଲାଣି ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।

ସେହିପରି ନିର୍ମାଣ କାମ ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଏବେ ପ୍ରଦୂଷଣ ହ୍ରାସ ପାଉଥିବାରୁ ସରକାର ସୋମବାର ନିର୍ମାଣ କାମ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରିଥିଲେ । ଏବେ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.