fbpx

କଥା ଦେଇ କଥା ରଖିଲେ ନବୀନ: ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା, ଖୁବଶୀଘ୍ର ଗଠନ ହେବ କମିଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା । ଏନେଇ ଖୁବଶୀଘ୍ର ଏକ କମିଟି ଗଠନ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହେବ । ନୂଆ ଜିଲ୍ଲା ଗଠନ ନେଇ ବିଭାଗ ପ୍ରସ୍ତୁତ ରହିଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଗତ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ନେଇ ଦାବି ଉଠିଥିଲା । ୨୦୨୩ରେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ।

ଗତ ବର୍ଷ ନଭେମ୍ବର ମାସରେ କ୍ରିୟାନୁଷ୍ଠାନ କମିଟି ସହିତ ମୁଖ୍ୟମନ୍ତ୍ରୀ ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକ ପରେ କମିଟିର ଆବାହକ ଜିଲ୍ଲା ଗଠନ ସମ୍ପର୍କରେ ସୂଚନା ଦେଇଥିଲେ । ପଦ୍ମପୁର ଅଞ୍ଚଳରେ ଆଚରଣ ବିଧି ଲାଗୁ ହୋଇଥିବାରୁ ତାହା ଘୋଷଣା ସମ୍ଭବ ହୋଇ ପାରୁନଥିବା କୁହାଯାଇଥିଲା । ତେବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଚର୍ଚ୍ଚା ହେବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳବାସୀ ମଧ୍ୟ ଏ ନେଇ ଦାବି କରିଥିଲେ ।

ରାଜ୍ୟର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, କେନ୍ଦୁଜର ଜିଲ୍ଲାର ଆନନ୍ଦପୁର, ରାୟଗଡ଼ ଜିଲ୍ଲାର ଗୁଣୁପୁର, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ନେଇ ବହୁ ପୂର୍ବରୁ ଦାବି ହୋଇ ଆସୁଛି । ତେବେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳିବା ପରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ । ଏବେ ପ୍ରଶାସନିକ ସ୍ତରରେ ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଥିବା କୁହାଯାଉଛି ।

Get real time updates directly on you device, subscribe now.