fbpx

Haunted Doll… କଣ୍ଢେଇ ଭିତରେ ଲୁଚିଛି ଆତ୍ମା! ପୁରୁଷଙ୍କୁ ଦେଖିଲେ କରୁଛି ଆକ୍ରମଣ, ୧୭ ଜଣ ହେଲେଣି ଶିକାର!

ଓଡ଼ିଶା ଭାସ୍କର: କଣ୍ଢେଇଟିଏ ସମସ୍ତଙ୍କର ପ୍ରିୟ ହୋଇଥାଏ । ଛୋଟ ଛୋଟ କଣ୍ଢେଇ ଦେଖିଲେ ସମସ୍ତଙ୍କୁ ଖୁସି ଲାଗିଥାଏ । କିନ୍ତୁ ଏହି କଣ୍ଢେଇ ସବୁଠୁ ନିଆରା, ନିଆରା ତ ନୁହେଁ, ଭୟଙ୍କର । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ସଜେଇ ହୋଇ ଖୁବ ସୁନ୍ଦର ଦେଖାଯାଉଥିବା ଏହି କଣ୍ଢେଇ ଭିତରେ ଲୁଚିଛି ଭୟଙ୍କର ସଇତାନ୍ । କୁହାଯାଏ, ଏହି କଣ୍ଢେଇ ଭିତରେ ଲୁଚି ରହିଛି ଜଣେ କନିଆଁର ଅତୃପ୍ତ ଆତ୍ମା । ପୁରୁଷଙ୍କୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ କରୁଛି ଆକ୍ରମଣ । ଆଜି ପର୍ଯ୍ୟନ୍ତ ୧୭ ଜଣଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛି ଏହି ନିର୍ଜୀବ ସୁନ୍ଦର ଚେହେରା ଧାରୀ କଣ୍ଢେଇ ।

ବ୍ରିଟେନର ଏଲିଜାବେଥ୍ ନାମକ ଏକ କଣ୍ଢେଇକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି କଣ୍ଢେଇଟି ଏକ ହଣ୍ଟେଡ୍ ଡଲ୍ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି । ସାଉଥ୍ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍ଭେଷ୍ଟିଗେଟର ଲି ଷ୍ଟୀର (୩୭) ଇ-କମର୍ସ ପ୍ଲାଟଫର୍ମ ‘ଇବେ’ରୁ ୮୬୬ ପାଉଣ୍ଡ(ପ୍ରାୟ ୯୫ ହଜାର ଚଙ୍କା) ମୂଲ୍ୟରେ ଏହି କଣ୍ଢେଇକୁ କିଣିଥିଲେ । ରଦରହମରେ ଷ୍ଟୀରଙ୍କର ଏକ ମ୍ୟୁଜିୟମ ରହିଛି, ଯେଉଁଠାରେ ସେ ବିଭିନ୍ନ ହଣ୍ଟେଡ୍ ବସ୍ତୁର ପ୍ରଦର୍ଶନୀ ଆୟୋଜନ କରିଥାନ୍ତି । ଷ୍ଟୀର ଏଲିଜାବେଥକୁ କିଣି ନିଜ ମ୍ୟୁଜିୟମରେ ରଖିଥିଲେ । ଷ୍ଟୀର କହିଛନ୍ତି, ଏଲିଜାବେଥ୍ ଏକ ସାଧାରଣ କଣ୍ଢେଇ ପରି ଦେଖାଯାଉଥିଲେ ମଧ୍ୟ ଏହା ଏକ Haunted Doll ।

ଏକଦା ସେ ମ୍ୟୁଜିୟମରେ ଏଲିଜାବେଥ ନିକଟରେ ଥିବାବେଳେ ତାଙ୍କ ବେକ ଏବଂ ପିଠିରେ କେହି ଆମ୍ପୁଡ଼ିବା ପରି ମନେ କରିଥିଲେ । ଘରେ ଯାଇ ଦେଖିବା ପରେ ସେ ନିଜ ପେଟରେ ଆଘାତ ଥିବା ଦେଖିବାକୁ ପାଇଥିଲେ । କେବଳ ସେ ନୁହନ୍ତି ସଂଗ୍ରହାଳୟକୁ ଆସୁଥିବା ଅନ୍ୟ ପୁରୁଷମାନେ ମଧ୍ୟ ସମାନ ଅନୁଭବ କରିଥିବା ଷ୍ଟୀର କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ହଣ୍ଟେଡ୍ ଡଲ୍ ତାଙ୍କୁ ମିଶାଇ ୧୭ ଜଣ ପୁରୁଷଙ୍କୁ ଶାରୀରିକ ଭାବେ ଆଘାତ ଦେଇଛି । ତେବେ ଏହାବ୍ୟତୀତ ଏଲିଜାବେଥ୍ ଏହି ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ବସ୍ତୁକୁ ଏପଟସେପଟ କରି ଏଣେତେଣେ ଫୋପାଡ଼ିବା, ଫାୟାର ଆଲାର୍ମକୁ ବଜାଇବା ଆଦି ଅନେକ ଘଟଣା ଘଟାଇଥାଏ ବୋଲି ଷ୍ଟୀର କହିଛନ୍ତି ।

କୁହାଯାଉଛି ଯେ, ପ୍ରେମରେ ପ୍ରତାରଣାର ଶିକାର ହୋଇଥିବା କୌଣସି ନବ ବିବାହିତା ମହିଳାଙ୍କର ଆତ୍ମା ଏଲିଜାବେଥ୍ ମଧ୍ୟରେ ରହିଛି । ଯାହା ବର୍ତ୍ତମାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି । ପ୍ରେମିକ ବା ଅନ୍ୟ କୌଣସି ପୁରୁଷଙ୍କ ଦ୍ୱାରା ଅତ୍ୟାଚାର ଏବଂ ପ୍ରତାରଣାର ଶିକାର ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଏସବୁର ପ୍ରତିଶୋଧ ନେବା ପାଇଁ ସେହି ମହିଳାଙ୍କ ଆତ୍ମା ଏଲିଜାବେଥ୍ ଦେହରେ ବାସ କରୁଛି । ଫଳରେ ପୁରୁଷଙ୍କୁ ଦେଖିଲେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ଏଲିଜାବେଥ୍ । ତେବେ ସମ୍ପୂର୍ଣ୍ଣ ମାମଲାଟି ଏକ ସିନେମାର କାହାଣୀ ପରି ମନେ ହେଉଛି, କିନ୍ତୁ ଘଟଣାଟି ଏକଦମ୍ ସତ ।

Get real time updates directly on you device, subscribe now.