fbpx

(Video) ‘ଭିନ୍ନ ଏକ ମନ୍ଦିର, ଯହିଁ ବିରାଜିତ ସ୍ୱୟଂ ଶ୍ରୀଜଗନ୍ନାଥ…’ ଓଡ଼ିଶାର ଏହି ସ୍ଥାନରେ ରହିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର

ବାଲେଶ୍ୱର: ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା ନେକ ଅନୁଷ୍ଠାନ ଅନେକ ସଂଘ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜଗନ୍ନାଥପ୍ରେମୀ ତଥା ଭକ୍ତମାନେ ଭିନ୍ନ ଭିନ୍ନ ସ୍ଥାନରେ ମନ୍ଦିର ଗଢିବା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଛନ୍ତି । ଭକ୍ତବତ୍ସଳ ଭାବଗ୍ରାହୀ ପ୍ରଭୂ ଜଗନ୍ନାଥ ମଧ୍ୟ ସେମାନଙ୍କ ସବୁ ବିପଦଆପଦରେ ସାହା ହୋଇ ରହିଛନ୍ତି । ଶ୍ରଦ୍ଧାରେ ଡାକିବା ମାତ୍ରେ ବାଲିରଥରେ ଉଭା ହୋଇଥିବା ପ୍ରଭୂ ଜଗନ୍ନାଥଙ୍କ ପାଇଁ ବର୍ତ୍ତମାନ ନିର୍ମାଣ ହୋଇଛି ନୂଆ ମନ୍ଦିର । ଏହି ମନ୍ଦିର ଏବଂ ଏହି ସ୍ତାନକୁ ତୃତୀୟ ଅର୍କକ୍ଷେତ୍ର ଭାବରେ ନାମ ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଣ୍ଡରେଇ ପଞ୍ଚାୟତ ଦିଗି ଗ୍ରାମର ଯୁବ ଇଞ୍ଜିନିୟର ଶୁଭେନ୍ଦୁ ସାମଲ ନିଜ ଗାଁରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ୨୦୧୦ ମସିହା ମାଘ ମାସ ସପ୍ତମୀରେ ଏହାର ଭିର୍ତ୍ତି ସ୍ଥାପନ କରାଯାଇଥିଲା ବେଳେ ୨୦୨୨ ମସିହାରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏହି ଜଗନ୍ନାଥ ମନ୍ଦିର ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି । ସିମୁଳିଆ ଅଞ୍ଚଳରେ ଏ ଭଳି ଜଗନ୍ନାଥ ମନ୍ଦିର ହୋଇଥିବାରୁ ଭକ୍ତମାନେ ବହୁତ ଖୁସି । ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ପ୍ରଭୁଙ୍କ ବିଗ୍ରହକୁ ଦର୍ଶନ କରିଥାନ୍ତି । ଦିଗି ଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ଆଖ୍ୟା ଦେଉଛନ୍ତି ।

ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥାପିତ ମହାପ୍ରଭୁଙ୍କ ପୁରୁଷୋତ୍ତମ କ୍ଷେତ୍ର । ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି ସ୍ୱୟଂ ଚତୁର୍ଦ୍ଧା ମୂରତୀ । ଜଗନ୍ନାଥ ସଂସ୍କୃତିକୁ ବଜାୟ ରଖିବା ପାଇଁ ଗାଁରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଛନ୍ତି ଜଣେ ଯୁବକ । ଏହି ମନ୍ଦିରକୁ ନିର୍ମାଣ କରିବା ପାଇଁ ନୟାଗଡ଼ରୁ ମିସ୍ତ୍ରୀ ଆସିଥିଲେ । ମନ୍ଦିର ନିର୍ମାଣ ହେବା ପରେ ପୁରୀରୁ ୩ଜଣ ବ୍ରାହ୍ମଣଙ୍କୁ ଆଣି ପୁରୀ ରୀତିନୀତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଉଛି ।

ଯୁବକଙ୍କ ଏଭଳି ଚିନ୍ତା ଧାରା ପାଇଁ ଭକ୍ତ ମାନେ ସୁନ୍ଦର ମନ୍ଦିର ସାଙ୍ଗକୁ ଚତୁର୍ଦ୍ଧା ମୂରତୀଙ୍କୁ ଦର୍ଶନ କରିପାରୁଛନ୍ତି । ଅନ୍ୟପଟେ ଏହି ମନ୍ଦିର ପାର୍ଶ୍ୱରେ ବିମଳା ମନ୍ଦିର ଓ ଲକ୍ଷ୍ମୀଙ୍କ ମନ୍ଦିର ରହିଛି । ବିଭିନ୍ନ ପର୍ବପର୍ବାଣୀ ବେଳେ ଏଠାରେ ବହୁତ ଭକ୍ତଙ୍କ ଭିଡ଼ ଲାଗେ । ଆଗକୁ ନବବର୍ଷ ଆସୁଥିବାରୁ ଦିଗି ଜଗନ୍ନାଥ ମନ୍ଦିର ଅଧ୍ୟାତ୍ମିକ ପରିବେଶ ସହ ବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.