fbpx

ଅଳ୍ପକେ ବର୍ତ୍ତିଗଲା! ନିଶାରେ ଉଡନ୍ତା ବିମାନର Door ଖୋଲୁଥିଲେ ଯାତ୍ରୀ: ତା’ ପରେ କ’ଣ ହେଲା?

ନୂଆଦିଲ୍ଲୀ: ଉଡନ୍ତା ବିମାନରେ ମଦ ପିଇ ଏକ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ନିଶାଶକ୍ତ ଯାତ୍ରୀ । ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଛନ୍ତି ଏହି ବାବୁ ଜଣକ । ଯାହା ପରେ ତାଙ୍କୁ ଖୁବ ମହଙ୍ଗା ପଡିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ-ବେଙ୍ଗଲୁରୁ ଯାତ୍ରା କରୁଥିବା ଇଣ୍ଡିଗୋ ଫ୍ଲାଇଟରେ । ତେବେ କ୍ରୁ ମେମ୍ବର ଠିକ ସମୟରେ ଦେଖି ନେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ।

ସୂଚନା ଅନୁସାରେ, ଦିଲ୍ଲୀ-ବେଙ୍ଗଲୁରୁ ପାଇଁ ଆଇଜିଆଇ ଏୟାରପୋର୍ଟରୁ ଉଡାଣ ଭରିଥିଲା ୬ଇ ୩୦୮ ଇଣ୍ଡିଗୋ ବିମାନ । କିନ୍ତୁ ମଝି ଆକାଶରେ ଜଣେ ନିଶାଶକ୍ତ ଯାତ୍ରୀ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ତେବେ ଯାତ୍ରୀଙ୍କୁ ଏପରି କରୁଥିବାର ଦେଖି ବିମାନର କ୍ୟାପ୍ଟେନଙ୍କୁ ଏ ନେଇ ସୂଚନା ଦେଇଥିଲେ କ୍ରୁ ମେମ୍ବର । ଏହାପରେ କ୍ୟାପ୍ଟେନ ମଧ୍ୟ ସମ୍ପୃକ୍ତ ଯାତ୍ରୀଙ୍କୁ ଏଥିପାଇଁ ଚେତାବନୀ ଦେଇଥିଲେ । ତେବେ ଉଡାଣ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । କିନ୍ତୁ ଯାତ୍ରୀଙ୍କର ଏହି କାରନାମା ପାଇଁ ତାଙ୍କୁ ବଡ ପରିଣାମ ଭୋଗିବାକୁ ପଡିଛି । ବେଙ୍ଗଲୁରୁରେ ପହଞ୍ଚିବା ପରେ ସିଆଇଏସଏଫ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.