fbpx

ମାଆ ଗର୍ଭରେ ବଢ଼ୁଥିବା ଶିଶୁ ୫୦୦ ଶବ୍ଦ ଶିଖିପାରିବ: ଭ୍ରୁଣ ମଧ୍ୟରେ ଦେଖିବା, ଶିଖିବା, ଅନୁଭବ କରିବା, ମନେରଖିବା ଶକ୍ତି ବିକଶିତ ହୋଇଥାଏ- ରିସର୍ଚ୍ଚ

ନୂଆଦିଲ୍ଲୀ: ମାତୃ ଗର୍ଭରେ ବଢ଼ୁଥିବା ଅବସ୍ଥାରେ ଶିଶୁଟି କିଛି ଶିଖି ପାରିବ କି? ଏହି କଥାଟି ଶୁଣିବା ପରେ ଅନେକ ଲୋକ ହୁଏତ ହସି ପାରନ୍ତି, ମାତ୍ର ପୌରାଣିକ ଯୁଗରେ ଏପରି କିଛି ଉଦାହରଣ ଦେଖିବାକୁ ମିଳିଛି । ମହାଭାରତରେ ମାଆ ସୁଭଦ୍ରାଙ୍କ ଗର୍ଭରେ ଥାଇ ପୁତ୍ର ଅଭିମନ୍ୟୁ ଚକ୍ରବ୍ୟୁହ ଭେଦ କରିବାର କଳା ଶିଖି ପାରିଥିଲେ । ଆଜିକାଲି ମଧ୍ୟ ବୟସ୍କ, ଧର୍ମଗୁରୁ ଓ ଉପଦେଷ୍ଟାମାନେ ଗର୍ଭବତୀ ମହିଳାଙ୍କୁ ଭାଗବତ ଭଜନ କରିବା ଓ ସତସଙ୍ଗ ଶୁଣିବାକୁ ପରାମର୍ଶ ଦେଇଥାନ୍ତି । ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଥାଏ ।

ନିକଟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଏକ ମହିଳା ସଂଗଠନ ରାଷ୍ଟ୍ର ସେବିକା ସମିତି ପକ୍ଷରୁ ଗର୍ଭବତୀଙ୍କ ପାଇଁ ‘ଗର୍ଭ ସଂସ୍କାର’ ଅଭିଯାନର ଶୁଭାରମ୍ଭ କରାଯାଇଛି । କିଛିବର୍ଷ ପୂର୍ବରୁ ସଂଘର ସ୍ୱାସ୍ଥ୍ୟ ଶାଖା ପକ୍ଷରୁ ଗର୍ଭ ବିଜ୍ଞାନ ସଂସ୍କାର ଆରମ୍ଭ ନେଇ ଖବର ଆସିଥିଲା । ଗର୍ଭରେ ବଢ଼ୁଥିବା ଶିଶୁକୁ ସଂସ୍କାର ଓ ଜୀବନର ମୂଲ୍ୟ ଶିଖାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଉକ୍ତ ସଂସ୍ଥାର ଡାକ୍ତର, ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ତାହା ମାଧ୍ୟମରେ ଗର୍ଭସ୍ଥ ଶିଶୁକୁ ସଂସ୍କାର ଦିଆଯିବ । ଏନେଇ ଜବାହରଲାଲ ନେହେରୁ ୟୁନିଭରସିଟିରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା, ଯେଉଁଥିରେ କି ଦେଶର ୧୨ଟି ରାଜ୍ୟର ୮୦ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ସାମିଲ ହୋଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ସେମାନଙ୍କୁ ଗୀତା ଶ୍ଲୋକ, ରାମାୟଣ ପାଠ କରାଯିବ । ଗର୍ଭସ୍ଥ ଶିଶୁ ୫୦୦ ଶବ୍ଦ ପର୍ଯ୍ୟନ୍ତ ଶିଖି ପାରିବ ବୋଲି ସେମାନେ ଦାବି କରିଛନ୍ତି । ଏହି ସଂସ୍କାର ଅଭିଯାନ ଜରିଆରେ ସେମାନେ ତାହା ପ୍ରୟାସ କରିବେ । ତେବେ ଏହା ମହିଳାଙ୍କ ବ୍ୟବହାର ଓ ଶିଶୁର ବିକାଶକୁ ପ୍ରଭାବିତ କରିପାରେ । ଏକ ରିସର୍ଚ୍ଚ ମୁତାବକ, ଗର୍ଭଧାରଣ ସମୟରେ ମହିଳାଙ୍କ ଚିନ୍ତା ଓ ଅବସାଦ ଜନ୍ମ ପରେ ଶିଶୁର ବ୍ୟବହାର ଓ ଭାବନାତ୍ମକ ବିକାଶକୁ ପ୍ରଭାବିତ କରିପାରେ । ତେଣୁ ଗର୍ଭବତୀ ମହିଳାମାନେ ନିଜର ଶିଶୁର ସୁସ୍ୱାସ୍ଥ୍ୟ ପାଇଁ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖିବା ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ମତରେ, ଗର୍ଭସ୍ଥ ଶିଶୁ ଶବ୍ଦ ଶୁଣିପାରେ ମାତ୍ର ଭାଷା ବୁଝିପାରେ ନାହିଁ । ରିସର୍ଚ୍ଚ ଅନୁଯାୟୀ, ଗର୍ଭରେ ଭ୍ରୁଣର ବିକାଶ ସମୟରେ ତା’ର କାନ ମଧ୍ୟ ବିକଶିତ ହେଉଥାଏ । ଏପରି ସ୍ଥଳେ ଧ୍ୱନୀ ତରଙ୍ଗ ସେ ପର୍ଯ୍ୟନ୍ତ ପହଞ୍ଚିଥାଏ । ମାତ୍ର ଏହାର ଅର୍ଥ ନୁହେଁ ସେ ବୁଝିପାରେ । ତେବେ ଏହି ସ୍ଥିତିରେ ଗୀତା ଓ ରାମାୟଣ ପାଠ କରାଇବା ଶିଶୁ ଉପରେ କ’ଣ ପ୍ରଭାବ ପକାଇବା ତାହା କହିବା ମୁସ୍କିଲ ଅଟେ । ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ ।

ତେବେ ସାଇକୋଲୋଜି ଟୁଡେ ପତ୍ରିକାରେ ପ୍ରକାଶିତ ଏକ ଷ୍ଟଡି ରିପୋର୍ଟ ମୁତାବକ, ଗର୍ଭରେ ବଢ଼ୁଥିବା ଭ୍ରୁଣ ସ୍ୱପ୍ନ ଦେଖିପାରେ, ଅନୁଭବ କରିପାରେ, ଉଚ୍ଚ ସ୍ୱରର ପ୍ରତିକ୍ରିୟା ମଧ୍ୟ ଦେଇପାରେ । ୧୩ତମ ସପ୍ତାହରେ ତା’ଠାରେ ଶୁଣିବାର କ୍ଷମତା ବିକଶିତ ହୋଇଯାଇଥାଏ । ଏହାପରେ ସେ ନିଜ ମାଆ ଓ ଅନ୍ୟମାନଙ୍କର ସ୍ୱର ମଧ୍ୟରେ ଫରକ ଜାଣିପାରେ । ଭ୍ରୁଣରେ ଅନୁଭବ କରିବା, ଦେଖିବା, ଶୁଣିବା, ଶିଖିବା, ମନେ ରଖିବାର କ୍ଷମତା ବିକଶିତ ହୋଇଥାଏ । ଗର୍ଭରେ ବଢ଼ୁଥିବା ଶିଶୁକୁ ଗୋଟିଏ କାହାଣୀ ବାରମ୍ବାର ଶୁଣାଇଲେ ସେ ପ୍ରତିକ୍ରିୟା ଦେଇଥାଏ । ପାଟିତୁଣ୍ଡ କଲେ ସେ ଚମକିଥାଏ । ଭ୍ରୁଣ ବିକଶିତ ହେବା ସମୟରେ ଯଦି ମାଆ ସକାରାତ୍ମକ କାର୍ଯ୍ୟ କରେ ତେବେ ଶିଶୁ ଉପରେ ଏହାର ପ୍ରଭାବ ପକାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

Get real time updates directly on you device, subscribe now.