ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକ ମଇଁଷି ରହିଛି ଯାହାର ଦାମ ଶୁଣିଲେ ଅନେକ ଆଶ୍ଚର୍ଯ୍ୟ ହେବେ । ୪ ବର୍ଷ ବୟସର ଗଜେନ୍ଦ୍ର ନାମକ ମଇଁଷିର ମୂଲ୍ୟ ୮୦ ଲକ୍ଷ ଟଙ୍କା । ତା’ର ଓଜନ ଦେଢ଼ ଟନ୍ ବା ୧୫ କ୍ୱିଣ୍ଟାଲ । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ତାସଗାଓଁ ଜିଲ୍ଲାରେ ଏହି ମଇଁଷି ରହିଛି । ତାସଗାଓଁଠାରେ କୃଷକ ସଂଘ ସ୍ୱାଭିମାନୀ ସେତକରୀ ସଂଗଠନ ପକ୍ଷରୁ ଚଳିତମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି ।
ଉକ୍ତ ମଇଁଷିକୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାର ମାଙ୍ଗସୁଲି ଗ୍ରାମରୁ ପ୍ରଦର୍ଶନୀକୁ ଅଣାଯାଇଛି । ବିଳାସ ନାଏକ ନାମକ ଜଣେ କୃଷକ ମଇଁଷିଟିକୁ ପାଳନ କରୁଛନ୍ତି । ହୃଷ୍ଟପୁଷ୍ଟ ମଇଁଷିଟି ଏକ ଉନ୍ନତ ଜିନର । ଉନ୍ନତ ମଇଁଷି ଛୁଆ ଜନ୍ମରେ ଏହି ମଇଁଷି ସହାୟକ ହେବ । ଫଳରେ ପଶୁପାଳନ କରୁଥିବା କୃଷକମାନେ ୪ ବର୍ଷର ଗଜେନ୍ଦ୍ର ଠାରୁ ଦାମୀ ମଇଁଷି ଛୁଆ ପାଇପାରିବେ ।
ଏଥିପାଇଁ ଗଜେନ୍ଦ୍ରର ଦାମ ଏତେ ଅଧିକ ରହିଛି । ବୃହତ ଆକାରର ଏହି ମଇଁଷିକୁ ପାଳିଥିବା ବିଳାସ ଦିନକୁ ୧୫ ଲିଟର କ୍ଷୀର ପିଇବାକୁ ଦେଇଥାନ୍ତି । ଘାସ ଏବଂ ଆଖୁ ଦିନକୁ ଚାରିଥର ଗଜେନ୍ଦ୍ର ଖାଇଥାଏ । ଗଜେନ୍ଦ୍ରକୁ ଦେଖି ଗାଁର ଅନ୍ୟ କୃଷକମାନେ ମଧ୍ୟ ସ୍ୱାସ୍ଥ୍ୟବାନ ପ୍ରାଣୀ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।