ବୀମା ଟଙ୍କା ପାଇଁ ସାଙ୍ଗ ମାନଙ୍କ ସହ ମିଶି, ନବ ବିବାହିତା ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ମାରିଦେଲା ସ୍ୱାମୀ
୧୦ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ହତ୍ୟା। ହତ୍ୟାକାଣ୍ଡ ପରେ ଦୁର୍ଘଟଣାର ରୂପ।
ରାଜସ୍ଥାନ: ସାମ୍ନାକୁ ଆସିଲା ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ଘଟଣା। ୬ ମାସ ପୂର୍ବରୁ ବାହାଘର ହୋଇଥିଲା। ହେଲେ ସାମାନ୍ୟ କେତେଟା ବୀମା ଟଙ୍କା ନିରୀହ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ପଥରରେ ଛେଚି ମାରିଦେଲା ସ୍ୱାମୀ।
କେବେଳ ସେତିକି ନୁହେଁ, ହତ୍ୟାକାଣ୍ଡକୁ ଏକ ଆକ୍ସିଡେଣ୍ଟର ରୂପ ମଧ୍ୟ ଦେଇଥିଲା। ଯେପରି ପୋଲିସକୁ କୌଣସି ପ୍ରକାର ସନ୍ଦେହ ନହେବ। ଏବଂ ସ୍ୱାମୀକୁ ଟଙ୍କା ମିଳିଯିବ, ତା ସହ ସ୍ତ୍ରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ ବି ହେବନି। ସ୍ୱାମୀର ଯୋଜନା ଅନୁସାରେ ସବୁକିଛି ହେଲା, କିନ୍ତୁ ପୋଲିସ ପାଖରୁ ବେଶି ଦିନ ତିଷ୍ଠି ପାରିଲେନି ଅଭିଯୁକ୍ତ।
ସ୍ତ୍ରୀକୁ ହତ୍ୟା: ତେବେ ଏପରି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି ରାଜସ୍ଥାନର ଝୁନୁଝୁନୁ ଜିଲ୍ଲାର ନବଲଗଡ଼ ସହରରେ। ଯେଉଁଠାରେ ଅଭିଯୁକ୍ତ ସାହିରାମ ତାଙ୍କ ସ୍ତ୍ରୀ କୃଷ୍ଣା ସାଇନିଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରିଥିଲେ।
ସେମାନଙ୍କର ବିବାହ ମାତ୍ର ୬ ମାସ ପୂର୍ବରୁ ହୋଇଥିଲା। ହେଲେ ମେ ୧୩ ତାରିଖ ଦିନ ରାତିରେ ସ୍ୱାମୀ ସାହରାମ ତାଙ୍କର ଚାରି ଜଣ ସାଙ୍ଗଙ୍କ ସହ ମିଶି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ମାରିଦେଇଥିଲେ।
ଆକ୍ସିଡେଣ୍ଟର ରୂପ: ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଏହାକୁ ସଡକ ଦୁର୍ଘଟଣା ଭଳି ଦେଖାଇବା ପାଇଁ ଏକ ମିଥ୍ୟା କାହାଣୀ ରଚନା କରିଥିଲେ। ଆଉ କିଛି ସମୟ ପାଇଁ ପୋଲିସ ମଧ୍ୟ ସେମାନଙ୍କ କଥାକୁ ବିଶ୍ୱାସ କରିଯାଇଥିଲା।
ହେଲେ ପୋଲିସ ଯେତେବେଳେ ତନତନ କରି ତଦନ୍ତ କଲା, ସେତେବେଳେ ସତ ସାମ୍ନାକୁ ଆସିଥିଲା। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଏବଂ ମୃତଦେହର ପାରିପାର୍ଶ୍ୱିକ ଅବସ୍ଥା ଦେଖି ପୋଲିସର ସନ୍ଦେହ ଆସିଥିଲା।
ତେଣୁ ପୋଲିସ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିଥିଲା। ଏବଂ କଲ ହିଷ୍ଟ୍ରି , ଘଟଣାସ୍ଥଳର ଦୃଶ୍ୟରୁ ବିଶ୍ଳେଷଣ କରି ଜାଣିବାକୁ ପାଇଥିଲା କି ଏହା ଏକ ହତ୍ୟାକାଣ୍ଡ ବୋଲି। ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ସାଙ୍ଗମାନଙ୍କୁ ଗିରଫ କରିଥିଲା।
ବୀମା ଟଙ୍କା ପାଇଁ ହତ୍ୟା: ଆଉ ଯେତେବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ପଚାରିଥିଲେ, ସେମାନେ ସବୁ ସତ ମାନିଯାଇଥିଲେ। ଆଉ ହତ୍ୟାକାଣ୍ଡର ମୂଳ କାରଣ ଥିଲା ମାତ୍ର ୧୦ ଲକ୍ଷ ଟଙ୍କା।
ମୃତ ସ୍ତ୍ରୀଙ୍କ ନାଁରେ ଏକ ବୀମା ରାଶି ଥିଲା। ଆଉ ସେହି ବୀମା ଟଙ୍କାକୁ ପାଇବା ପାଇଁ ସ୍ୱାମୀ ଜଣକ ନିଜର ନବ ବିବାହିତା ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଅତି ନିର୍ମମ ଭାବେ ହତ୍ୟା କଲା।