ଭୁବନେଶ୍ୱର : ଆଉ କିଛି ଦିନ ପରେ ରାଜ୍ୟରେ ଏକ ଛୋଟ ଧରଣର ବାତ୍ୟା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ରବିବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୨୦ କିମ୍ବା ୨୧ରେ ଘନୀଭୂତ ହୋଇ ଲଘୁଚାପ ଓ ୨୩ରେ ଏହା ଅବପାତରେ ପରିଣତ ହେବ । ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୬୮ କିମି ରହିବ । ୨୫ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ବା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିପାରେ । ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ୨୨ ତାରିଖରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି । ଯଦି ହୁଏ, ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଯାଇନପାରେ ।
ଅନ୍ୟପଟେ ରାଜ୍ୟରେ ଆଜି ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଫଳରେ ୧୮ ତାରିଖ ଆଡ଼କୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରୁ ମୌସୁମୀ ଫେରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ପାଇଁ ପରିବେଶ ଅନୁକୂଳ ସୃଷ୍ଟି ହେଉଥିବା ପୂର୍ବାନୁମାନ କରାଯାଉଛି । ତେବେ ଏନେଇ ୧୮ ତାରିଖ ବେଳକୁ ସ୍ପଷ୍ଟ ସୂଚନା ମିଳିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ । କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହୋଇପାରେ ।