fbpx

NDDB- ଓଡ଼ିଶା ସରକାର ଚୁକ୍ତିନାମା ସ୍ୱାକ୍ଷରିତ: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ GMP ଲ୍ୟାବ୍, ଉତ୍ପାଦନ ହେବ ଆନ୍ଥରାକ୍ସ ଓ ENTV ବିଜାଣୁ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ବିକାଶମୁଖୀ କରାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇଏନଟିଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜିଏମପି (ଗୁଡ଼୍ ମ୍ୟାନୁଫାକଚରିଂ ପ୍ରାକଫିସେସ) ଲାବୋରେଟୋରୀ ପ୍ରତିଷ୍ଠା କରାଯିବ । ଏନେଇ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି) ସହ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ୩ ବର୍ଷ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଲାବରେଟୋରୀ ପ୍ରତିଷ୍ଠା କରାଯିବ । ବର୍ଷକୁ ୫୦ ଲକ୍ଷ ଆନ୍ଥରାକ୍ସ ଓ ୨ କୋଟି ଇଏନଟିଭି ବିଜାଣୁ ଟିକାର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରମାଶିଷ ହାଜରା ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ସିନିୟର ଜେନେରାଲ୍ ମ୍ୟାନେଜର ସୁନୀଲ ସିହ୍ନା ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଫଳରେ ରାଜ୍ୟ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ପ୍ରାଣୀପାଳନ ରାଜ୍ୟର ଚାଷୀମାନଙ୍କ ରୋଜଗାର ଓ ଆୟବୃଦ୍ଧି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏଥିସହିତ ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରାଣଘାତୀ ରୋଗର ପ୍ରତିଷେଧକ ଟିକା ଉତ୍ପାଦନ ରାଜ୍ୟର ପ୍ରାଣୀସଂପଦ କଲ୍ୟାଣ କ୍ଷେତ୍ର୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । କୋଭିଡ-୧୯ ମହାମାରୀ ସମୟରେ ରାଜ୍ୟ ସରକାର ଅନ୍ୟ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଅକ୍ସିଜେନ ଯୋଗାଇଥିଲେ । ଏହି ଅତ୍ୟାଧୁନିକ ଟିକା ଉତ୍ପାଦନ କେନ୍ଦ୍ର ସ୍ଥାପନ ପରେ ଓଡ଼ିଶା ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ରାଜ୍ୟକୁ ଟିକା ଯୋଗାଣ କରିବାରେ ସମର୍ଥ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ଏହି ଜିଏମପି କେନ୍ଦ୍ର ନିର୍ମାଣ କରିବାରେ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ପରାମର୍ଶଦାତା, ପର୍ଯ୍ୟବେକ୍ଷକ ତଥା ପରିଚାଳନାଗତ ସେବା ପ୍ରଦାନକାରୀ ସଂସ୍ଥା ରୂପେ ସହଯୋଗ କରିବା ସହିତ ଏହି ଲାବୋରେଟୋରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଚୁକ୍ତିନାମା ହୋଇଛି । ଏହି ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ମାଧ୍ୟମରେ ପୂର୍ବୋକ୍ତ ଟିକା ଦୁଇଟିର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭବିଷ୍ୟତରେ ପୂର୍ଣ୍ଣତଃ ଆତ୍ମନିର୍ଭରଶୀଳ ରାଜ୍ୟ ରୂପେ ଉଭା ହୋଇପାରିବ ।

ଏହା ଦ୍ୱାରା ପ୍ରାଣୀସଂପଦର ଉତ୍ତମ ରୋଗ ପ୍ରତିଷେଧକ ବ୍ୟବସ୍ଥା ତଥା ପ୍ରାଣୀପାଳକଙ୍କର ଆର୍ôଥକ ମାନଦଣ୍ଡରେ ଉନ୍ନତି ହୋଇପାରିବ । ଆନ୍ଥରାକ୍ସ ଓ ଇଏନଟିଭି ବିଜାଣୁ ରୋଗର ନିରାକରଣ ନିମନ୍ତେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ପ୍ରତିଷେଧକ ଟିକା ଉତ୍ପାଦନ ଲାବୋରେଟୋରୀ ଦେଶର ଏକ ଅନନ୍ୟ ଲାବୋରେଟୋରୀ ଭାବେ ପରିଗଣିତ ହେବ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏନଡିଡିବିର ବରିଷ୍ଠ ଜେନେରାଲ ମ୍ୟାନେଜର ସୁନୀଲ ସିହ୍ନା, ନାବାର୍ଡର ସିଜିଏମ ସୁଧାଂଶୁ କେକେ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ଉତ୍ପାଦନ ପ୍ରାଣୀସଂପଦର ଉତ୍ତମ ପ୍ରତିଷେଧକ ବ୍ୟବସ୍ଥା ଓ ଏହା ପ୍ରାଣୀପାଳକମାନଙ୍କ ଆଥିକ ମାନଦଣ୍ଡର ଉନ୍ନତିରେ ସହାୟକ ହେବ ବୋଲି ସେମାନେ କହିଥିଲେ ।

Get real time updates directly on you device, subscribe now.