ସ୍ତବ୍ଧ କରିଦେଲା ଭଳି ଭିଡିଓ; ଫୁଟବଲ ମ୍ୟାଚ୍ ବେଳେ ହେଲା ବଜ୍ରପାତ, ଚାଲିଗଲା ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ପେରୁରେ ଏକ ଫୁଟବଲ ମ୍ୟାଚ୍ ବେଳେ ହେଲା ବଜ୍ରପାତ। ଏଥିରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପେରୁର ଜୁଭେଣ୍ଟୁଡ୍ ବେଲାଭିସ୍ତା ନାମକ ଦୁଇଟି କ୍ଲବ୍ ଏବଂ ହୁଆନକାୟୋର ଫାମିଲିଆ ଚୋକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଏଥିରେ କିଛି ଖେଳାଳି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସୋସିଆଲ ମିଡିଆରେ ପ୍ରକାଶିତ ପୋଷ୍ଟ ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ରେଫରି ଖେଳାଳିଙ୍କୁ ପଡ଼ିଆ ବାହାରକୁ ଆସିବାକୁ କହିଥିଲେ । ଖେଳାଳିମାନେ ପଡ଼ିଆ ବାହାରକୁ ଯାଉଥିବା ବେଳେ ୩୯ ବର୍ଷୀୟ ଫୁଟବଲ ଖେଳାଳି ଜୋସେ ହ୍ୟୁଗୋ ଡି ଲା କ୍ରୁଜ୍ ମେସାଙ୍କ ଉପରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ସେ ପୋଡ଼ିହୋଇ ଯାଇଥିବା ଦେଖାଯାଉଛି । ଅନ୍ୟ କିଛି ଖେଳାଳି ବି କିଛି ପୋଡ଼ି ହୋଇଯାଇଥିବା କୁହାଯାଉଛି, ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି ।

ଡିଫେଣ୍ଡର ଜୋସେ ହ୍ୟୁଗୋ ଡି ଲା କ୍ରୁଜ୍ ମେସାଙ୍କ ମୃତ୍ୟୁ ଘଟିଥିବା ବେଳେ ଏରିକ୍ ଏଷ୍ଟିଭେନ୍ କ୍ସେଣ୍ଟେ କୁଏଲର୍, ଜୋଶେପ୍ ଗୁସ୍ତାଭୋ ପାରିଓନା ଚୋକା ଏବଂ କ୍ରିଷ୍ଟିଆନ୍ ସେସର ପିଟୁଏ କହୁଆନାଙ୍କ ଭଳି ଖେଳାଳି ବଜ୍ରାଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଗୋଲରକ୍ଷକ ଜୁଆନ୍ ଚୋକାଲାକ୍ଟାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅପରାହ୍ନ ପ୍ରାୟ ୪ଟା ବେଳକୁ ମ୍ୟାଚ୍ ବାତିଲ ହୋଇଥିବା ରିପୋର୍ଟରେ କୁହାଯାଇଛି ।