କର୍ଣ୍ଣାଟକ: ଡେଟ କରିବାକୁ ଯାଇ ଫସିଗଲେ ଯୁବକ; ଗଣିଲେ ଲକ୍ଷାଧିକ ଟଙ୍କା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଟେକ୍ କର୍ମଚାରୀ ଏବଂ ଜଣେ ମହିଳା ବମ୍ବଲ୍ ମାଧ୍ୟମରେ ପରସ୍ପର ସମ୍ପର୍କରେ ଆସିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ କିଛି ସପ୍ତାହ ପର୍ଯ୍ୟନ୍ତ ମେସେଜିଂ ଏବଂ ଭିଡିଓ କଲ୍ ଜାରି ରହିଥିଲା।
ଗୋଟିଏ ମାସ ପରେ, ଉଭୟେ ଭେଟିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଉଭୟେ ଏକ କାଫେରେ ଭେଟିଥିଲେ। ଆରମ୍ଭରୁ ସବୁକିଛି ଠିକ୍ ଥିଲା, କିନ୍ତୁ ପରେ ମହିଳା ଜଣକ ଏକ ରୁମକୁ ଯାଇ ଡ୍ରିଂକ୍ସ କରିବାକୁ ତାଙ୍କୁ କହିଥିଲେ, ତା ପରେ ଦୁହେଁ ଗୋଟିଏ ରୁମରେ ବସି ଡ୍ରିଂକ୍ସ କରି କଥା ହେଉଥିବାବେଳେ ହଠାତ 4ଜଣ ଲୋକ ସେହି ରୁମକୁ ପ୍ରଵଶ କଲେ ଏବଂ ସେମାନେ ଏକ ଡ୍ରଗ୍ସ ପାର୍ଟିରେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିବାକୁ ଲାଗିଲେ।
ସେମାନେ ପୋଲିସକୁ ଡାକିବାକୁ ଧମକ ଦେଇ ସେହି ରୁମକୁ ସର୍ଚ୍ଚ କରିବାକୁ ଦାବି କଲେ। ସର୍ଚ୍ଚ କରିବାବେଳେ ସେମାନେ ମହିଳାଙ୍କ ବ୍ୟାଗରୁ ଧଳା ପାଉଡର ପ୍ୟାକେଟ ବାହାର କଲେ ଏବଂ ସେଗୁଡିକ ଡ୍ରଗ୍ସ ବୋଲି ଦାବି କଲେ। ଏହା ଦେଖି ମହିଳା ଜଣକ କାନ୍ଦିବାକୁ ଲାଗିଲେ ଏବଂ ଅନ୍ୟ ଏକ ରୁମକୁ ଦଉଡ଼ିକି ଯାଇ ଆତ୍ମହତ୍ୟା କରିବାକୁ ଧମକ ଦେଲେ।
ଅପରାଧୀମାନେ ଏଥିପାଇଁ ଟେକ୍ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଦାବି କଲେ, କିନ୍ତୁ ଟଙ୍କା ପାଖରେ ଏତେ ତାଙ୍କ ନଥିବାରୁ ସେ ୨ ଲକ୍ଷ ଟଙ୍କା ଦେଲେ।
ଘଟଣାର ତିନି ଦିନ ପରେ, ଟେକ୍ କର୍ମଚାରୀ ଜଣକ ପୋଲିସକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇ ଅଭିଯୋଗ କରିଥିଲେ। ଏହା ପରେ, ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ଏବଂ ଜଣେ ପୁରୁଷ ଦ୍ୱାରା ପରିଚାଳିତ ଏହି ସ୍କାମର ପର୍ଦ୍ଦାଫାସ କରିଥିଲା।
ଏହି ଡେଟ କରୁଥିବା ମହିଳା ଜଣକ ଏହି ଗ୍ୟାଙ୍ଗର ଏକ ଅଂଶ ଥିଲେ ଏବଂ ତାଙ୍କ ବ୍ୟାଗରୁ ମିଳିଥିବା ଧଳା ପାଉଡର କୌଣସି ନିଶାଦ୍ରବ୍ୟ ନୁହେଁ ବରଂ ବେକିଂ ସୋଡା ଥିଲା। ଏହି ମାମଲାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଛି।