ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପ୍ରବଳ ଭିଡ଼
ଆଜିର ଦିନରେ ଗର୍ଭଗୃହରେ ପ୍ରତିଷ୍ଠା ପାଇଥିଲେ ରାମଲଲା। ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଏକ୍ସରେ ଫଟୋ ସେୟାର କଲେ ମୂର୍ତ୍ତି ନିର୍ମାତା ଅରୁଣ ଯୋଗୀରାଜ।
ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାକୁ ପୂରିଲା ବର୍ଷେ। ଇଂରାଜୀ କ୍ୟାଲେଣ୍ଡର ହିସାବରେ ଆଜିର ଦିନରେ ଅଯୋଧ୍ୟାରେ ଗର୍ଭଗୃହରେ ମର୍ଯାଦା ପୁରୁଷୋ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଯେଉଁଥିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା।
ଆଉ ଆଜି ବି ଠିକ୍ ସେହିପରି ପ୍ରଭୁ ରାମଲଲାଙ୍କ ଦର୍ଶନ କରିବା ପାଇଁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଏହି ଅବସରରେ ସୋସିଆଲ ମିଡ଼ିଆ ଏକ୍ସରେ ଫଟୋ ସେୟାର କରିଛନ୍ତି ମୂର୍ତ୍ତି ନିର୍ମାଣ କରିଥିବା କର୍ଣ୍ଣାଟକର ସ୍ଥପତି ଅରୁଣ ଯୋଗୀରାଜ।
ଅଯୋଧ୍ୟାରେ ଲୋକଙ୍କ ଭିଡ଼: ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ୨୦୨୪ ଜାନୁଆରୀ ୨୨ ତାରିଖ ପୌଷ ମାସ ଶୁଳ୍କପକ୍ଷ ଦ୍ୱାଦଶୀ ତିଥିରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା।
କିନ୍ତୁ ତିଥି ଅନୁସାରେ ୧୧ ତାରିଖରେ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ ପୂରି ସାରିଛି। ହେଲେ ଆଜିର ତାରିଖରେ ପ୍ରାଣ ପ୍ରତିଷ୍ଠା ହୋଇଥିବାରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ।
ମୂର୍ତ୍ତି ନିର୍ମାତାଙ୍କ ପୋଷ୍ଟ: ଗର୍ଭଗୃହରେ ପୂଜା ପାଉଥିବା ମୂର୍ତ୍ତି ଓ ପ୍ରାଣ ପ୍ରତିଷ୍ଠା ପୂର୍ବର ସିଂହାସନର ଫଟୋ ପୋଷ୍ଟ କରିଛନ୍ତି ମୂର୍ତ୍ତି ନିର୍ମାଣ କରିଥିବା କର୍ଣ୍ଣାଟକର ସ୍ଥପତି ଅରୁଣ ଯୋଗୀରାଜ।
ଅରୁଣ ଯୋଗୀରାଜ ଲେଖିଛନ୍ତି, ମୋ ଉପରେ ପ୍ରଭୁ ରାମଙ୍କ ଆଶୀର୍ବାଦ ଥିବାରୁ ଏହି ଖାଲି ସ୍ଥାନକୁ ମୁଁ ପୂରଣ କରିପାରିଛି।
ପ୍ରାଣ ପ୍ରତିଷ୍ଠା କରିଥିଲେ ପ୍ରଧାନମନ୍ତ୍ରୀ: ଗତ ବର୍ଷ ଏହି ଦିନରେ ବହୁ ଆଡ଼ମ୍ୱରରେ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ।
ପୁରା ଦେଶରେ ସେଦିନ ଦୀପାବଳି ପରି ଉତ୍ସବ ମନାଯାଉଥିଲା। ରାମଙ୍କ ନାଁରେ ସବୁଠି ଦୀପ ଜଳିଥିଲା। ଠିକ୍ ଆଜିର ଦିନରେ ପ୍ରଭୁ ରାମଲଲାଙ୍କ ଦର୍ଶନ ଲାଭ କରିଥିଲେ କୋଟି କୋଟି ଭକ୍ତ।
ସେଥିପାଇଁ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ଅଯୋଧ୍ୟାରେ ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।