ଜୁଲାଇ ୧ ରୁ ନୂଆ ଆର୍ଥିକ ନିୟମ: ଆଧାର-ପାନ ଲିଙ୍କ, ଏଟିଏମ୍ ଫି, ତତ୍କାଳ ଟିକେଟ ସମେତ ହେବ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠାରୁ ଆର୍ଥିକ ଏବଂ ନିୟାମକ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗୁ ହେଉଛି, ଯାହା ଆୟକର ଦାୟର, କ୍ରେଡିଟ କାର୍ଡ ବ୍ୟବହାର, ତତ୍କାଳ ଟ୍ରେନ ଟିକେଟ ବୁକିଂ ଏବଂ ନୂଆ ପାନ କାର୍ଡ ପାଇଁ ଆଧାର ବାଧ୍ୟତାମୂଳକ କରାଯିବା ଆଦିକୁ ପ୍ରଭାବିତ କରିବ। ଏହି ପରିବର୍ତ୍ତନଗୁଡ଼ିକ ଏଚଡିଏଫସି, ଏସବିଆଇ ଏବଂ ଆଇସିଆଇସିଆଇ ଭଳି ବ୍ୟାଙ୍କର ଗ୍ରାହକ ତଥା ଆୟକର ଦାତାଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିବ।

ନୂଆ ପାନ କାର୍ଡ ପାଇଁ ଆଧାର ବାଧ୍ୟତାମୂଳକ
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଅନୁଯାୟୀ, ୧ ଜୁଲାଇଠାରୁ ନୂଆ ପାନ କାର୍ଡ ଆବେଦନ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ପାନ କାର୍ଡ ଧାରକମାନଙ୍କୁ ଡିସେମ୍ବର ୩୧, ୨୦୨୫ ସୁଦ୍ଧା ନିଜ ପାନ କାର୍ଡକୁ ଆଧାର ସହ ଲିଙ୍କ କରିବାକୁ ପଡ଼ିବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଜନ୍ମ ପ୍ରମାଣପତ୍ର ଭଳି ସରକାରୀ ପରିଚୟ ପତ୍ର ପାନ ଆବେଦନ ପାଇଁ ଯଥେଷ୍ଟ ଥିଲା। ଏହି ନିୟମ ପାଳନ ନକଲେ ପାନ କାର୍ଡ ନିଷ୍କ୍ରିୟ ହୋଇପାରେ।

ତତ୍କାଳ ଟ୍ରେନ ଟିକେଟ ବୁକିଂ ପାଇଁ ଆଧାର ଜରୁରୀ
ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ମଧ୍ୟ ଆଧାର ଯାଞ୍ଚକୁ ବାଧ୍ୟତାମୂଳକ କରିଛି। ୧୫ ଜୁଲାଇଠାରୁ ଅନଲାଇନ କିମ୍ବା କାଉଣ୍ଟରରେ ଟିକେଟ ବୁକିଂ ପାଇଁ ଆଧାର-ଆଧାରିତ ଓଟିପି (ଏକକାଳୀନ ପାସୱାର୍ଡ) ଯାଞ୍ଚ ଆବଶ୍ୟକ ହେବ। ଏହା ଟିକେଟ ବୁକିଂ ପ୍ରକ୍ରିୟାରେ ସୁରକ୍ଷା ଓ ସ୍ୱଚ୍ଛତା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଇଛି।

ଏହା ସହ, ରେଳବାଇ ଟିକେଟ ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। ନନ-ଏସି କୋଚ୍‌ଗୁଡ଼ିକ ପାଇଁ ପ୍ରତି କିଲୋମିଟର ୧ ପଇସା ଏବଂ ଏସି କୋଚ୍‌ଗୁଡ଼ିକ ପାଇଁ ୨ ପଇସା ବୃଦ୍ଧି ହେବ। ଏହା ୨୦୨୦ ଜାନୁଆରୀ ପରେ ପ୍ରଥମ ମୂଲ୍ୟ ବୃଦ୍ଧି ହେବ।

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି
ସିବିଡିଟି ଆୟକର ରିଟର୍ଣ୍ଣ (ITR) ଦାଖଲର ଅନ୍ତିମ ତାରିଖକୁ ୩୧ ଜୁଲାଇରୁ ବୃଦ୍ଧି କରି ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କରିଛି। ଏହା ଦ୍ୱାରା ବେତନଭୋଗୀ ବ୍ୟକ୍ତିଙ୍କୁ ରିଟର୍ଣ୍ଣ ଦାଖଲ ପାଇଁ ଅତିରିକ୍ତ ୪୬ ଦିନ ମିଳିବ। ତେବେ, ଯେଉଁମାନଙ୍କର ଡକ୍ୟୁମେଣ୍ଟ ପ୍ରସ୍ତୁତ ଅଛି, ସେମାନଙ୍କୁ ଶୀଘ୍ର ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ଶେଷ ମୁହୂର୍ତ୍ତରେ ଓ୍ୱେବସାଇଟରେ ସମ୍ଭାବ୍ୟ ତ୍ରୁଟି ଏଡ଼ାଇ ହେବ।

କ୍ରେଡିଟ କାର୍ଡ ନିୟମରେ ପରିବର୍ତ୍ତନ
ଏସବିଆଇ: ଏସବିଆଇ ଏଲିଟ, ମାଇଲ୍ସ ଏଲିଟ ଏବଂ ମାଇଲ୍ସ ପ୍ରାଇମ ଭଳି ପ୍ରିମିୟମ କାର୍ଡରେ ବିମାନ ଦୁର୍ଘଟଣା ବୀମା ବନ୍ଦ କରୁଛି। ଏହା ସହ ମାସିକ ବିଲ୍ ପାଇଁ ନୂଆ ମିନିମମ ଅ୍ୟାମାଉଣ୍ଟ ଡ୍ୟୁ (MAD) ଗଣନା ପ୍ରଣାଳୀ ଆରମ୍ଭ ହେବ।

ଏଚଡିଏଫସି ବ୍ୟାଙ୍କ: ୧ ଜୁଲାଇଠାରୁ ଏଚଡିଏଫସି କ୍ରେଡିଟ କାର୍ଡ ବ୍ୟବହାର କରି ଭଡ଼ା ପେମେଣ୍ଟ, ୧୦,୦୦୦ ଟଙ୍କାରୁ ଅଧିକ ଅନଲାଇନ ଗେମିଂ, ୫୦,୦୦୦ ଟଙ୍କାରୁ ଅଧିକ ଉଟିଲିଟି ପେମେଣ୍ଟ ଏବଂ ୧୦,୦୦୦ ଟଙ୍କାରୁ ଅଧିକ ଡିଜିଟାଲ ଓ୍ୱାଲେଟ ଲୋଡିଂ ଉପରେ ୧% ଫି (ସର୍ବାଧିକ ୪,୯୯୯ ଟଙ୍କା) ଲାଗୁ ହେବ। ତେବେ, ବୀମା ପେମେଣ୍ଟ ଏହାରୁ ବାଦ ରହିବ।

ଆଇସିଆଇସିଆଇ ବ୍ୟାଙ୍କ: ଆଇସିଆଇସିଆଇ ବ୍ୟାଙ୍କରେ ପ୍ରଥମ ୫ଟି ଏଟିଏମ୍ ଟ୍ରାନଜାକସନ ମାଗଣା ରହିବ, କିନ୍ତୁ ତା’ପରେ ପ୍ରତି ଟ୍ରାନଜାକସନରେ ୨୩ ଟଙ୍କା ଫି ଲାଗୁ ହେବ। ଅନ୍ୟ ବ୍ୟାଙ୍କର ଏଟିଏମରେ ମେଟ୍ରୋ ସହରରେ ୩ଟି ଏବଂ ଛୋଟ ସହରରେ ୫ଟି ମାଗଣା ଟ୍ରାନଜାକସନ ପରେ ଯଥାକ୍ରମେ ୨୩ ଟଙ୍କା ଓ ୮.୫ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍ତର୍ଜାତୀୟ ଏଟିଏମରେ ନଗଦ ଉଠାଣ ପାଇଁ ୧୨୫ ଟଙ୍କା, ଅ-ଆର୍ଥିକ ଟ୍ରାନଜାକସନ ପାଇଁ ୨୫ ଟଙ୍କା ଏବଂ ୩.୫% ମୁଦ୍ରା ରୂପାନ୍ତର ଫି ଲାଗୁ ହେବ। ଆଇଏମପିଏସ ଜରିଆରେ ଅନଲାଇନ ଟ୍ରାନସଫର ପାଇଁ ଫି ୨.୫ ଟଙ୍କାରୁ ବୃଦ୍ଧି ପାଇ ୧୫ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ସହ, ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ଜମା ଉପରେ ୧୫୦ ଟଙ୍କା କିମ୍ବା ୧,୦୦୦ ଟଙ୍କା ପିଛା ୩.୫୦ ଟଙ୍କା (ଯେଉଁଟି ଅଧିକ ହେବ) ଫି ଲାଗୁ ହେବ।

ଆକ୍ସିସ ବ୍ୟାଙ୍କରେ ଏଟିଏମ ଫି ବୃଦ୍ଧି:
ଅକ୍ସିସ ବ୍ୟାଙ୍କ ସେଭିଂସ, ଏନଆରଆଇ, ଟ୍ରଷ୍ଟ, ପ୍ରାୟୋରିଟି ଏବଂ ବର୍ଗଣ୍ଡି ଆକାଉଣ୍ଟ ଧାରକଙ୍କ ପାଇଁ ମାଗଣା ସୀମା ବାହାରେ ଏଟିଏମ ଟ୍ରାନଜାକସନ ଉପରେ ଫି ବୃଦ୍ଧି କରିଛି। ଉଦାହରଣ ସ୍ୱରୂପ, ଅନ୍ୟ ବ୍ୟାଙ୍କର ଏଟିଏମରୁ ନଗଦ ଉଠାଣ ପାଇଁ ପ୍ରତି ଟ୍ରାନଜାକସନ ୨୩ ଟଙ୍କା ଫି ଲାଗୁ ହେବ।

ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ଇନ୍ଧନ ନିଷେଧ
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୁଧାର ପାଇଁ ୧ ଜୁଲାଇଠାରୁ ପୁରୁଣା (End-of-Life) ଗାଡ଼ିଗୁଡ଼ିକ ଉପରେ ଇନ୍ଧନ ନିଷେଧାଜ୍ଞା ଲାଗୁ ହେବ। ଏହା ଅନୁଯାୟୀ, ଦିଲ୍ଲୀର ୫୨୦ଟି ପେଟ୍ରୋଲ ଓ ଡିଜେଲ ଷ୍ଟେସନରେ ଅଟୋମେଟେଡ ନମ୍ବର ପ୍ଲେଟ ରେକଗନିସନ (ANPR) କ୍ୟାମେରା ସ୍ଥାପନ କରାଯାଇଛି। ଏହି କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ ସ୍କାନ କରି ତାହାକୁ ଭାହାନ ଡାଟାବେସ ସହ ଯାଞ୍ଚ କରିବ ଏବଂ ପୁରୁଣା କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ବିହୀନ ଗାଡ଼ିକୁ ଇନ୍ଧନ ପ୍ରଦାନ କରାଯିବ ନାହିଁ।

ରେଳବାଇ ଓ୍ୱେଟଲିଷ୍ଟ ଚାର୍ଟିଂ ୮ ଘଣ୍ଟା ପୂର୍ବରୁ
ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ରିଜର୍ଭେସନ ଚାର୍ଟ ପ୍ରସ୍ତୁତ କରୁଛି, ଯାହା ଓ୍ୱେଟଲିଷ୍ଟ ଯାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ କମ ସମୟ ଦେଉଛି। ଏହାକୁ ସମାଧାନ କରିବା ପାଇଁ, ଏବେ ଟ୍ରେନ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ ହେବ।

ଆରବିଆଇ କଲ ମନି ମାର୍କେଟ ସମୟ ବୃଦ୍ଧି
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଇଣ୍ଟରବ୍ୟାଙ୍କ କଲ ମନି ମାର୍କେଟ ଟ୍ରେଡିଂ ସମୟକୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପରିବର୍ତ୍ତେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ୨ ଘଣ୍ଟା ପାଇଁ ଋଣ ନେବା ଓ ଦେବାରେ ସୁବିଧା ପ୍ରଦାନ କରିବ।

ଜିଏସଟିଆର-୩ବି ରିଟର୍ଣ୍ଣ ଅ-ସଂଶୋଧନୀୟ
ଜୁଲାଇଠାରୁ ଜିଏସଟି ନେଟୱାର୍କ (GSTN) ଜିଏସଟିଆର-୩ବି ରିଟର୍ଣ୍ଣକୁ ଦାଖଲ ପରେ ଅସଂଶୋଧନୀୟ କରିବ। ଏହା ଜିଏସଟିଆର-୧/୧ଏ ଡାଟା ଆଧାରରେ ଅଟୋ-ପପୁଲେଟେଡ ହେବ ଏବଂ ଦାଖଲ ପରେ ସଂଶୋଧନ କରାଯାଇ ପାରିବ ନାହିଁ। ଏହା ଜିଏସଟି ରିଟର୍ଣ୍ଣ ଦାଖଲରେ ସ୍ୱଚ୍ଛତା ବୃଦ୍ଧି କରିବ।

ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଆର୍ଥିକ ଯୋଜନା ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ। ତେଣୁ ଏହି ନୂଆ ନିୟମ ସମ୍ପର୍କରେ ସଚେତନ ରହି ଆଗୁଆ ଯୋଜନା କରିବା ଜରୁରୀ।