ଜେଲରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅସୁସ୍ଥ, ୧୨ ଦିନରେ କମିଲାଣି ୪ ରୁ ୫ କିଲୋ ଓଜନ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। ତେବେ ଜେଲରେ ରହି କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଆପ୍ ମନ୍ତ୍ରୀ ଆତିଶୀ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।

ଆତିଶୀ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ମଧୁମେହ ରୋଗୀ। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ୨୪ ଘଣ୍ଟା ଦେଶ ସେବାରେ ନିୟୋଜିତ ଥିଲେ। ଗିରଫ ହେବା ପରଠାରୁ ୧୨ ଦିନ ଭିତରେ କେଜ୍ରିଓ୍ୱାଲଙ୍କ ଓଜନ ୪ ରୁ ୫ କିଲୋ ହ୍ରାସ ପାଇଛି। ଏହା ବେଶ୍‌ ଚିନ୍ତାଜନକ। ବଜେପି ତାଙ୍କୁ ଜେଲରେ ରଖି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। କିନ୍ତୁ ଅନ୍ୟପଟେ ତିହାର ଜେଲ ଅଧିକାରୀ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି। କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସେ କହିଛନ୍ତି। ଜେଲର ଡାକ୍ତରମାନେ ମଧ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି।

ସୂଚନା ଥାଉକି, ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ଗତକାଲି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ।

 

Get real time updates directly on you device, subscribe now.