fbpx

ଓଡ଼ିଶାକୁ ଘାରିଲା ଓମିକ୍ରନ୍ ଭୟ: ଏବେ ବି ୪୦ ଲକ୍ଷରୁ ଅଧିକ ଲୋକ ଟିକା ନେଇନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶ ଓ କେରଳ ପରି କିଛି ରାଜ୍ୟରେ ଓମିକ୍ରନ ପଶିବା ପରେ ଅନ୍ୟ ରାଜ୍ୟଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି । ତେବେ ଓଡ଼ିଶାେୀ ଏବେ ବି ୪୦ ଲକ୍ଷରୁ ଅଧିକ ଲୋକ ଟିକା ନେଇ ନଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ । ପୂର୍ବରୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ଥିବାରୁ ଏନେଇ କୌଣସି ଅସୁବିଧା ହେବ ନାହିଁ । ଚଳିତ ମାସ ଶେଷ ସୁଦ୍ଧା ନିର୍ଦ୍ଦେଶ ଆସିବା ପରେ ଟିକାକରଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଜଣାପଡ଼ିଛି ଯେ, ରାଜ୍ୟର ୮୭ ପ୍ରତିଶତ ଲୋକ କୋଭିଡର ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ୫୪ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ପୂର୍ବରୁ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ କୋଭିସିଲ୍ଡ ଟିକା ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ଗଞ୍ଜାମ, କଟକ, ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟ କୋଭାକ୍ସିନ ଟିକା ଦିଆଯାଇଥିଲା । ବର୍ତ୍ତମାନ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଟିକାକରଣ ପାଇଁ ପରାମର୍ଶ ଦିଆଯାଉଛି । ଏଥିସହିତ ଓମିକ୍ରନକୁ ନେଇ ଅଯଥାରେ ଭୟଭୀତ ନହୋଇ ସତର୍କ ରହିବାକୁ କୁହାଯାଇଛି । ପଡ଼ୋଶୀ ଆନ୍ଧ୍ରରେ ଓମିକ୍ରନ ପ୍ରବେଶ କରିବା ପରେ ରାଜ୍ୟ ପାଇଁ ଏକ ସତର୍କ ଘଣ୍ଟି ବାଜିଛି । ତେଣୁ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ଦଳ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖୁଛନ୍ତି । ସମସ୍ତ ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲାପାଳମାନଙ୍କୁ ପଠାଯିବା ସହ ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.