fbpx

ପତାକାର ରଶି ବଦଳାଇବା ବେଳେ ବଡ ଅଘଟଣ, ଚାଲିଗଲା ୩ ଜଣଙ୍କ ଜୀବନ

Advertisement

ଗ୍ୱାଲିୟର : ସ୍ୱାଧୀନତା ଦିବସ ପାଇଁ ଚାଲିଥିବା ପ୍ରସ୍ତୁତି । ୬୦ ଫୁଟ୍ ଉଚ୍ଚ ଡାକଘର ଭବନରେ ଜାତୀୟ ପତାକାର ରଶି ବଦଳାଇବା ପାଇଁ କ୍ରେନର ସାହାରା ନିଆଯାଇଥିଲା । ହେଲେ ଏହି ସମୟରେ ଘଟିଲା ଅଘଟଣ । କ୍ରେନର ଜ୍ୟାକ୍ ଭାଙ୍ଗି ଯିବାରୁ ଚାଲିଗଲା ତିନି ଜଣଙ୍କ ଜୀବନ । ଆଉ ସ୍ୱାଧୀନତା ଦିବସ ପୂର୍ବରୁ ଅଞ୍ଚଳରେ ଖେଳିଗଲା ଶୋକର ଛାୟା । ଏମିତି ଦୁଃଖଦ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଗ୍ୱାଲିୟରର ବାଡାରେ । ୬୦ ଫୁଟ୍ ଉଚ୍ଚ ଡାକଘର ଭବନରେ ଜାତୀୟ ପତାକାର ରଶି ବଦଳାଇବା ସମୟରେ କ୍ରେନର ଜ୍ୟାକ୍ ଭାଙ୍ଗି ଯିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାଧୀନତା ଦିବସ ପାଇଁ ପତାକାର ରଶି ବଦଳାଯାଉଥିଲା । ଚାରି ଜଣ କର୍ମଚାରୀ କ୍ରେନର ଟ୍ରଲିରେ ଚଢିଥିଲେ । ଅଚାନକ ଜ୍ୟାକ୍ ଭାଙ୍ଗି ଯିବାରୁ କ୍ରେନ ଓଲଟି ପଡିଥଲା । ଟ୍ରଲି ସହିତ ସମସ୍ତ କର୍ମଚାରୀ ପ୍ରଥମ ମହଲାରୁ ତଳେ ଖସି ପଡିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ନଗର ନିଗମର ଦମକଳ ବିଭାଗର କର୍ମଚାରୀ ଏବଂ ଜଣେ ଡାକଘରର ଚୌକିଦାର । ଘଟଣା ଶନିବାର ସକାଳେ ମାହରାଜ ବାଡାରେ ଘଟିଛି ।

ତୁରନ୍ତ ସମସ୍ତଙ୍କୁ ଜୟ ଆରୋଗ୍ୟ ହସ୍ପିଟାଲର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷିତ କରିଥିଲେ । ସୂଚନା ମିଳିବା ମାତ୍ରେ ପ୍ରଭାରୀ ମନ୍ତ୍ରୀ ତୁଳସିରାମ ସିଲାବଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷର ମାହୋଲ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

ସହରର ମହାରାଜ ବାଡାରେ ପ୍ରତି ବର୍ଷ ସ୍ୱାଧୀନତା ଦିବସରେ ଐତିହାସିକ ଭବନଗୁଡିକରେ ଆଲୋକମାଳା ଏବଂ ସାଜସଜା କରାଯାଏ । ପୁରାତନ ଡାକଘରରେ ପତାକା ଉତ୍ତୋଳନ କରାଯାଏ । ପତାକା ତ ସେଠାରେ ଲାଗିଥିଲା, ହେଲେ ଏହାର ଡୋରି ଖରାପ ଥିଲା । ଏହାକୁ ଠିକ୍ କରିବା ପାଇଁ ଡାକଘରର ଚୌକିଦାର ବିନୋଦ କୁମାର ଶର୍ମା ନଗର ନିଗମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ଦମକଳ କର୍ମଚାରୀ ୫୨ ମିଟର ଉଚ୍ଚତାର ବଡ କ୍ରେନ ନେଇ ବାଡାରେ ପହଞ୍ଚିଥିଲେ ।

କ୍ରେନକୁ ସାଇଡ୍ କରାଯାଇ ଏହାର ଟ୍ରଲିରେ ଦମକଳ କର୍ମଚାରୀ ପ୍ରଦୀପ ରାଜୌରିଆ, କୁଲଦୀପ ଇଣ୍ଡୋତିଆ, ଡାକଘରର ଚୌକିଦାର ବିନୋଦ ଶର୍ମା ସମେତ ୪ ଜଣ ଥିଲେ । ସେମାନେ ଟ୍ରଲିରେ ଚଢି ପତାକା ପାଖକୁ ପହଞ୍ଚିବା ମାତ୍ରେ କ୍ରେନର ଜ୍ୟାକ୍ ଭାଙ୍ଗି ପଡିଥିଲା । କ୍ରେନ ଖସିବା ସହ ଟ୍ରଲି ସହିତ ସମସ୍ତ କର୍ମଚାରୀ ମଧ୍ୟ ତଳେ ଖସି ପଡିଥିଲେ । ସ୍ଥାନୀୟ ଲୋକେ ପୋଲିସ, ନଗର ନିଗମକୁ ଘଟଣାର ସୂଚନା ଦେଇଥିଲେ । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଆହତଙ୍କୁ ଆମ୍ବୁଲାନ୍ସରେ ଜୟ ଆରୋଗ୍ୟ ହସ୍ପିଟାଲର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.