ସଲମାନ ଖାନ୍ ଫାୟାରିଂ କେସ୍‌ରେ ଅଭିଯୁକ୍ତର ଆତ୍ମହତ୍ୟା, ଶୁଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ନେଇ ହୋଇଥିଲା ଅଭିଯୋଗ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତ ଜଣକ ଥାନା ହାଜତରେ ଥିଲେ । ତାଙ୍କ ସହ ୨ ଜଣ ଅନ୍ୟ ଅଭିଯୁକ୍ତ ବି ଥିଲେ । ତେବେ ଏହି ମାମଲାରେ ଗିରଫ ୪ର୍ଥ ଅଭିଯୁକ୍ତଙ୍କୁ ଚିକିତ୍ସାଜନିତ ଆବଶ୍ୟକତା ଥିବାରୁ ନ୍ୟାୟିକ ହେପାଜତରେ ରଖାଯାଇଛି ।

ବୁଧବାର ମୁମ୍ବାଇ ପୋଲିସ ସୂଚନା ଦେଇଛି କି ସଲମାନ ଖାନ୍ ଫାୟାରିଂ କେସ୍‌ରେ ଧରା ପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିିଲା । ତାଙ୍କୁ ଜିଟି ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଉଛନ୍ତି ଅନୁଜ ଥାପନ । ତାଙ୍କ ଉପରେ ଶୁଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାର ଅଭିଯୋଗ ଥିଲା । ଥାପନଙ୍କୁ ମୁମ୍ବାଇ ପୋଲିସ ଜଣେ ଅନ୍ୟ ଅଭିଯୁକ୍ତ ସୋନୁ ସୁଭାଷ ଚନ୍ଦର(୩୭) ସହ ଏପ୍ରିଲ ୨୫ରେ ପଞ୍ଜାବରୁ ଗିରଫ କରିଥିଲା । ଏହା ବ୍ୟତିତ ଏହି ମାମଲାରେ ୨୪ ବର୍ଷୀୟ ବିକ୍କି ଗୁପ୍ତା ଓ ୨୧ ବର୍ଷୀୟ ସାଗର ପାଲ ମଧ୍ୟ ଗିରଫ ହୋଇଛନ୍ତି । ଥାପନ,ସାଗର ଓ ବିକ୍କି ମୁମ୍ବାଇ ଥାନା ହାଜତରେ ଥିଲେ ଓ ସୋନୁ ଚନ୍ଦର ଚିକିତ୍ସା ଆଧାରରେ ନ୍ୟାୟିକ ହେପାଜତରେ ରହୁଥିଲା ।