ଆୟୁଷ୍ମାନ ଭାରତ: ମେୟରଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ, କାର୍ଡ ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
22ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ ହେବ ଆୟୁଷ୍ମାନ କାର୍ଡ ।
ଭୁବନେଶ୍ବର; ଆସନ୍ତା 11ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ମଧ୍ୟ ଶୁଭାରମ୍ଭ କରାଯିବ । ଏନେଇ ବିଏମସି କାର୍ଯ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।
କେଉଁମାନେ ଏହି ଦୁଇଟି କାର୍ଡର ସୁବିଧା ପାଇବେ, କେତେଦିନ ରହିବ ଏହାର ଅବଧି, କେଉଁମାନଙ୍କୁ କେତେ ଟଙ୍କା ମିଳିବ ଏନେଇ ଲୋକଙ୍କୁ ଜଣାଇବା ପାଇଁ ଆସନ୍ତା 11 ତାରିଖରେ ମହାନଗର ନିଗମ ଅଞ୍ଚଳରେ 22ଟି ସ୍ବାସ୍ଥ୍ୟକେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ କରାଯିବ ।
କାର୍ଡ ପାଇଁ ଆଧାର ଲିଙ୍କ କରିବାକୁ ହେବ । ଏନେଇ ଜନସେବା କେନ୍ଦ୍ରରେ ଯେଉଁମାନେ ଲୋକଙ୍କଠୁ ଟଙ୍କା ମାଗିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।
ପ୍ରତି ଓ୍ବାର୍ଡର 25ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ମହିଳାଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ ।
କହିରଖୁଛୁ କି, ଏପ୍ରିଲ ୧୧ ତାରିଖରେ କଟକ ବାଲିଯାତ୍ରା ପଡିଆରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହେବ । କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶା ଆସି ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।