fbpx

ସକ୍ରିୟ ହେଉଛି କାଳବୈଶାଖୀ ପ୍ରକ୍ରିୟା, ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ପାଣିପାଗରେ ପରିବର୍ତ୍ତନ ହେଉଛି । ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି ।

ତେବେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ । ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହା କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବ । ବିଜୁଳି ଘଡ଼ଘଡ଼ି ଓ ପବନ ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ଓ ପବନ ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗରର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ଓଡ଼ିଶାକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରବିବାରଠାରୁ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ସମୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମିବା ଆଶା କରାଯାଉଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୭ ଜିଲ୍ଲାକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ।

Get real time updates directly on you device, subscribe now.