fbpx

ଚିକିତ୍ସା ପାଇଁ ଦିଲ୍ଲୀ ଯାତ୍ରା କଲେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଲକ୍ଷ ଲକ୍ଷ ସିନେପ୍ରେମୀଙ୍କୁ ହସାଉଥିବା ଓ କନ୍ଦାଉଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ପିଣ୍ଟୁଙ୍କର ସ୍ୱାସ୍ଥ୍ୟ କିପରି ଅଛି ଏହି ପ୍ରଶ୍ନ ଏବେ ଚା’ ଖଟିରୁ ଆରମ୍ଭ କରି ଟେଲି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ପଚାରୁଛନ୍ତି । କ୍ରୋନିକ ହେପାଟାଇଟିସରେ ପୀଡ଼ିତ ଥିବା ପିଣ୍ଟୁ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମାତ୍ର ଉଚ୍ଚମାନର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ।

ତେବେ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ପିଣ୍ଟୁ । ପିଣ୍ଟୁ ଗୁରୁତର ଯକୃତ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଦିଲ୍ଲୀର ଏକ ହସପ୍ିଟାଲରେ ପିଣ୍ଟୁଙ୍କର ଲିଭର ପ୍ରତ୍ୟାରୋପଣ କରାଯିବ । ଏହା ପୂର୍ବରୁ ପିଣ୍ଟୁ ରାଜଧାନୀ ଭୁବନେଶ୍ୱରର କିମ୍ସ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା କରିବା ପାଇଁ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେଥିପାଇଁ ସହାୟତାର ହାତ ବଢ଼ାଇବା ନେଇ ପିଣ୍ଟୁ ରାଜ୍ୟବାସୀଙ୍କ ନିକଟରେ ଗୁହାରି କରିଥିଲେ ।

ତେବେ ପିଣ୍ଟୁଙ୍କର ଏଭଳି ଦୁଃଖଦ ପରିସ୍ଥିତି ସମୟରେ ତାଙ୍କର କଳାକାର ବନ୍ଧୁଙ୍କ ସମେତ ସାରା ଓଲିଉଡ ପରିବାର ଆଗେଇ ଆସିଛି । ପିଣ୍ଟୁଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଅନେକ ପ୍ରଶଂସକ ସୋସିଆଲ ମିଡ଼ିଆରେ ନିବେଦନ କରିଛନ୍ତି । ଅସୁବିଧା ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଇଥିବା ଶୁଭେଚ୍ଛୁମାନଙ୍କୁ ପିଣ୍ଟୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ପିଣ୍ଟୁ ଖଳନାୟକ, ନାୟକ, ଭାଇ, ଦାଦା ଆଦି ବିଭିନ୍ନ ଚରିତ୍ରରେ ଦର୍ଶକଙ୍କ ନିକଟରେ ପହଞ୍ଚିଛନ୍ତି । ସେ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ସେ ରଙ୍ଗ ନମ୍ବର, ଆଇ ଲଭ୍ ମାଇଁ ଇଣ୍ଡିଆ, ବାହୁଡ଼ିବେ ମୋ ଜଗା ବଳିଆ, ପ୍ରେମ ପାଇଁ ମହାଭାରତ, ସାଥୀରେ, ହାତ ଧରି ଚାଲୁଥା, ଲଭ୍ ମାଷ୍ଟର ପରି ବହୁ ଫିଲ୍ମରେ ନିଜ ବଳିଷ୍ଠ ଅଭିନୟର ଛାପ ଛାଡ଼ିଯାଇଛନ୍ତି ।

Get real time updates directly on you device, subscribe now.