fbpx

ADR ରିପୋର୍ଟରେ ବଡ଼ ଖୁଲାସା: ରାଜ୍ୟସଭାର ୪୮ ଜଣ ସାଂସଦଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ଦେଶର ସଂସଦର ଉଚ୍ଚତମ କକ୍ଷ ରାଜ୍ୟସଭାର ସାଂସଦଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ (ନ୍ୟୁ) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ ରାଜ୍ୟସଭାର ୨୩୩ ଜଣ ସାଂସଦଙ୍କ ମଧ୍ୟରୁ ୨୨୫ ଜଣଙ୍କର ଅପରାଧିକ, ଆର୍ଥିକ ଓ ଅନ୍ୟ ପୃଷ୍ଠଭୂମିର ତଥ୍ୟକୁ ବିଶ୍ଲେଷଣ କରାଯାଇଛି । ବର୍ତ୍ତମାନ ରାଜ୍ୟସଭାର ଗୋଟିଏ ସିଟ୍ ଖାଲି ରହିଛି ।

ରିପୋର୍ଟ ମୁତାବକ, ଆନ୍ଧ୍ରପ୍ରଦେଶର ୧୧ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣ, ତେଲେଙ୍ଗାନାର ୭ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ, ମହାରାଷ୍ଟ୍ରର ୧୯ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ, ଦିଲ୍ଲୀର ୩ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣ, ପଞ୍ଜାବର ୭ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣ, ହରିୟାଣାର ୫ ଜଣ ସାଂସଦଙ୍କ ମଧ୍ୟରୁ ଜଣେ, ମଧ୍ୟପ୍ରଦେଶର ୧୧ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣ ସମ୍ପତ୍ତି ଘୋଷଣା କରିଛନ୍ତି । ଏହି ସମସ୍ତ ସାଂସଦଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ ରହିଛି ।

ତେଲେଙ୍ଗାନାର ୭ ଜଣ ସାଂସଦଙ୍କ ମୋଟ ସମ୍ପତ୍ତି ୫,୫୯୬ କୋଟି, ଆନ୍ଧ୍ରପ୍ରଦେଶର ୧୧ ଜଣ ସାଂସଦଙ୍କ ମୋଟ ସମ୍ପତ୍ତି ୩,୮୨୩ କୋଟି ଓ ଉତ୍ତରପ୍ରଦେଶର ୩୦ ଜଣ ସାଂସଦଙ୍କର ମୋଟ ସମ୍ପତ୍ତି ୧,୯୪୧ କୋଟି ଟଙ୍କା । ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୭୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରାଯାଇଛି । ୪୧ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ଦାୟର ହୋଇଛି । ୨ ଜଣଙ୍କ ବିରୋଧରେ ହତ୍ୟା ସମ୍ବନ୍ଧିତ ମାମଲା ଘୋଷିତ କରାଯାଇଛି । ୪ ଜଣ ସାଂସଦଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ସମ୍ବନ୍ଧୀୟ ମାମଲା ଆଫିଡେଭିଟରେ ଘୋଷିତ କରାଯାଇଛି । ବିଜେପିର ୨୩, କଂଗ୍ରେସର ୧୨, ଏଆଇଟିସିର ୪, ଆରଜେଡିର ୬, ସିପିଆଇର ୪, ଆପର ୩, ୱାଇଏସଆରସିପିର ୩, ଏନସିପିର ୩ ଜଣ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

Get real time updates directly on you device, subscribe now.